ଚୋରା ଶାଗୁଆନ୍‌ କାଠ ବୋଝେଇ ଗାଡ଼ି ଜବତ

ଖଣ୍ଡଗିରି : ସୋମବାର ରାତିରେ ଚନ୍ଦକା ଅଭୟାରଣ୍ୟ ଭୁବନେଶ୍ୱର ବନଖଣ୍ଡ କର୍ମଚାରୀମାନେ ଚନ୍ଦକା ନିକଟରୁ ଏକ ଚୋରା ଶାଗୁଆନ୍‌ କାଠ ବୋଝେଇ ଟାଟା ଏସିଇ (ଓଆର୍‌ ୦୨ ଏକେ-୭୫୭୩) ଗାଡ଼ି ଜବତ କରିଛନ୍ତି। ଜବତ ଶାଗୁଆନ୍‌ କାଠର ମୂଲ୍ୟ ୫୦ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବନ କର୍ମଚାରୀମାନେ ଗାଡ଼ିଚାଳକ ମଳୟ ମଙ୍ଗରାଜକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛନ୍ତି। ମଳୟର ଘର ସେହି ଚନ୍ଦକା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ମଳୟକୁ କୋର୍ଟଚାଲାଣ କରାଯିବ ବୋଲି ଚନ୍ଦକା ଡିଏଫ୍‌ଓ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସୂଚନାନୁସାରେ, ଆଜି ପ୍ରାୟ ରାତି ୮ଟା ବେଳେ ଚନ୍ଦକା ଥାନା ଅନ୍ତର୍ଗତ କୁଜିମହୁଲ ଗାଁ ନିକଟରୁ ଏକ ଟାଟା ଏସିଇ ଗାଡ଼ି ଶାଗୁଆନ୍‌ କାଠ ବୋଝେଇ କରି ଚନ୍ଦକା ନିକଟସ୍ଥ ଶ୍ୟାମସୁନ୍ଦରପୁର ଗାଁ ଆଡ଼କୁ ଯାଉଥିଲା। ଗାଡ଼ି ଉପରେ ପାଲ ପଡ଼ିଥିବାରୁ କାଠ ବାହାରକୁ ଦେଖା ଯାଉନଥିଲା। କିନ୍ତୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଏଫ୍‌ଓ କେଦାର କୁମାର ସ୍ୱାଇଁ ସେହି ଗାଡ଼ିକୁ ପିଛା କରିବା ପାଇଁ ଏକ ଟିମ୍‌କୁ ନିର୍ଦେଶ ଦେଇଥିଲେ। ଫରେଷ୍ଟର ସମୀର ବେହେରା, ରାଜକୁମାର ସେଠୀ, ଗାର୍ଡ ଆଦିତ୍ୟ ହାତୀ, ହୃଷୀକେଶ ଭୁଜବଳଙ୍କୁ ନେଇ ଗଠିତ ଟିମ୍‌ ତୁରନ୍ତ ସେହି ଗାଡ଼ିକୁ ପିଛା କରି ଚନ୍ଦକା ଏସ୍‌ଓଜି କ୍ୟାମ୍ପ ନିକଟରେ ଅଟକାଇଥିଲା। ଗାଡ଼ି ଉପରୁ ପାଲ କାଢ଼ିବା ପରେ ଭିତରେ ୬ଟି ଶାଗୁଆନ୍‌ ଗଛରୁ କଟା ଯାଇଥିବା ୨୦ ଖଣ୍ଡ କାଠ ଗଣ୍ଡି ଲଦା ହୋଇଥିବା ଜଣାପଡ଼ିଥିଲା। ସବୁ ଗଛଗୁଡ଼ିକ ପାଖାପାଖି ୩/୪ ଫୁଟ ଗୋଲେଇ ବିଶିଷ୍ଟ ଥିଲା। ଗାଡ଼ି ଚାଳକ ମଳୟ ଏହି ସବୁ ଗଛକୁ ନିଜ ବାଡ଼ିରୁ କାଟିଥିଲା ବୋଲି ସଫେଇ ଦେଇଥିଲା। କିନ୍ତୁ ତା’ ନିକଟରେ ଶାଗୁଆନ୍‌ ଗଛ କଟାଇବା ପାଇଁ ଦରକାର ପଡ଼ୁଥିବା ବନ ବିଭାଗର ଅନୁମତିପତ୍ର ନଥିଲା। ବନ କର୍ମଚାରୀମାନଙ୍କ କହିବା କଥା ସେ ଗଛଗୁଡ଼ିକ ଜଙ୍ଗଲରୁ କାଟିଛି କି ନିଜ ବାଡ଼ିରୁ କାଟିଛି, ତାହା ଆସନ୍ତାକାଲି ସ୍ପଷ୍ଟ ହୋଇଯିବ। ତଥାପି ନିଜ ବାଡ଼ିରୁ କଟାଇଥିଲେ ବି ବନ ବିଭାଗ ଓ ରାଜସ୍ୱ ବିଭାଗର ବିନା ଅନୁମତିରେ ଗଛ କାଟିବା ବେଆଇନ୍‌। ତେଣୁ ମଳୟ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର