ଜୟପୁର: ରାଜସ୍ଥାନରେ ଯାତ୍ରୀଭରା ବସ୍‌ରେ ୬ଜଣ ପୁଲିସ ଶୁଣାଣି ଲାଗି ଅଦାଲତକୁ ନେଇଯାଉଥିବା ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ଜଣକ ପରେ ଜଣେ ୮ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଥିବା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

Advertisment

୮ଜଣ ଦୁଃସାହସୀ ଆକ୍ରମଣକାରୀ ଉକ୍ତ ବସ୍‌ରେ ପ୍ରାୟ ୨ ମିନିଟ୍‌ ରହିଥିଲେ। କେବଳ ସେତିକି ନୁହେଁ ପିସ୍ତଲ୍‌ରେ ଗୁଳି ଭର୍ତ୍ତି କରିବା ପାଇଁ ସେମାନେ ଥରକୁ ଥର ବସ୍‌ରୁ ବାହାରକୁ ବି ଆସିଥିଲେ। ଏହି ଘଟଣାର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସଂଗୃହୀତ ତଥ୍ୟ ଅନୁସାରେ, ଜୁଲାଇ ୧୨ ତାରିଖ ଦିନ ଏହି ଘଟଣା ଘଟିଛି। ଶୁଣାଣି ନିମନ୍ତେ ‌ଜୟପୁର ସେଣ୍ଟ୍ରାଲ୍‌ ଜେଲ୍‌ରୁ ଗ୍ୟାଙ୍ଗ୍‌ଷ୍ଟର୍‌ କୁଳଦୀପ ଜଘୀନା ଏବଂ ତାଙ୍କ ସହଯୋଗୀ ବିଜୟପାଲଙ୍କୁ ଭରତପୁରସ୍ଥିତ ଅଦାଲତକୁ ନିଆଯାଉଥିଲା। ୬ଜଣ ପୁଲିସ କର୍ମଚାରୀ ସେମାନଙ୍କୁ ‘ରାଜସ୍ଥାନ ରୋଡ୍‌ୱେଜ୍‌ ବସ୍‌’ରେ ନେଉଥିଲେ।

‘ଫୁଟେଜ୍‌’ରେ ‌ଦିଶୁଛି, ଭରତପୁରର ଆମୋଲି ଟୋଲ୍‌ ପ୍ଲାଜାରେ ଉକ୍ତ ବସ୍‌ ଠିଆ ହୋଇଥିବା ବେଳେ ୩ଜଣ ଲୋକ ବସ୍‌ରେ ଚଢୁଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ବ୍ୟକ୍ତି ବନ୍ଧୁକ ବୁଲାଉ ଥିଲେ। ଗୁଳି ଚଳାଇବା ପୂର୍ବରୁ ସେମାନେ ବସ୍‌ ଦ୍ବାର ନିକଟରେ କିଛି ସମୟ ଅଟକି ଥିଲେ। ଦୁଇଜଣ ଲୋକ ଦ୍ବାର ନିକଟରୁ ଗୁଳି ଚଳାଉଥିବା ବେଳେ ଆଉ ଜଣେ ବସ୍‌ ଝରକା ବାଟେ ଚାହିଁ ଭିତରକୁ ଗୁଳି ଚଳାଉଛନ୍ତି। ଗୁଳି ଚଳାଇସାରିବା ପରେ ଜଣେ ଆତତାୟୀ ଚୁପ୍‌ଚାପ୍‌ ବସ୍‌ରୁ ଓହ୍ଲାଇଯାଇ ଆଉ ୩ଜଣଙ୍କୁ ବସ୍‌ ଭିତରକୁ ଠେଲି ପ୍ରବେଶ କରାଉଛନ୍ତି।

ଭୟରେ ଲୋକେ ଝରକା ବାଟେ ବସ୍‌ ଭିତରୁ ବାହାରି ଯାଉଥିବା ବେଳେ ଆହୁରି କିଛି ଆତତାୟୀ ବସ୍‌ ନିକଟରେ ପହଞ୍ଚି ଜଣକ ପରେ ଜଣେ କୁଳଦୀପ ଓ ତାଙ୍କ ସହଯୋଗୀଙ୍କ ଉପରକୁ ଗୁଳି ଚଳାଇଲେ। ଗୁଳି ସରିଯିବାରୁ ପୁଣି ପିସ୍ତଲରେ ଗୁଳି ଭରି ସେମାନେ ଗୁଳି ଚଳାଇଥିଲେ। ଏମିତି ପ୍ରାୟ ୨ ମିନିଟ୍‌ ଧରି ଚାଲିଥିଲା। ତା’ପରେ ସେମାନେ ଧୀରସ୍ଥିର ଭାବେ ଘଟଣାସ୍ଥଳରୁ ଚାଲିଯାଇଥିଲେ।

ଏହି ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟର୍‌ କୁଳଦୀପଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ସହଯୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ଉକ୍ତ ବସ୍‌ରେ ଯାଉଥିବା ୩ଜଣ ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଗତବର୍ଷ ସେପ୍ଟେମ୍ବର ମାସରେ ଜମି ବିବାଦ ଘଟଣାରୁ କୁଳଦୀପ ଓ ବିଜୟ ଭରତପୁରର କୃପାଳ ଜଘୀନା ନାମରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ।

ପୁଲିସ କହିବା ଅନୁସାରେ, ୮ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରାଯାଇଛି। ବସ୍‌ରେ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ସାଥିରେ ନେଇ ଯାଉଥିବା ପୁଲିସଙ୍କ ମୁହଁରେ ଆକ୍ରମଣକାରୀମାନେ ଲଙ୍କାଗୁଣ୍ଡ ପକାଇ ଦେବାରୁ ସେମାନେ ପାଲଟା ଗୁଳି ଚଳାଇ ପାରି ନ ଥିଲେ।