ଯୋଗୀଙ୍କ କାର୍ଯ୍ୟାନୁଷ୍ଠାନ: ୪୮ ଘଣ୍ଟାରେ ୧୫ ପୁଲିସ ଏନ୍‌କାଉଣ୍ଟର, ୨୪ କୁଖ୍ୟାତ ଅପରାଧୀ ଗିରଫ

ଲକ୍ଷ୍ନୌ: କୁଖ୍ୟାତ ଅପରାଧୀମାନଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟାନାଥ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଠାରୁ ଆଦେଶ ମିଳିବା ପରେ ପୁଲିସ ସକ୍ରିୟ ହୋଇ ଉଠିଛି। ପୁଲିସ ୪୮ ଘଣ୍ଟା ମଧ୍ୟରେ ୧୫ଟି ଏନ୍‌କାଉଣ୍ଟର କରି ୨୪ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହି ଏନ୍‌କାଉଣ୍ଟର ଗୁଡ଼ିକ ମୁଜାଫରନଗର, ଗୋରଖପୁର, ବୁଲନ୍ଦସହର, ସାମଲି, ହାପୁର, ମେରଠ, ଶାହାରାନପୁର, ବାଗପତ୍‌, କାନପୁର ଓ ଲକ୍ଷ୍ନୌ। ଏହି ସବୁ ଏନ୍‌କାଉଣ୍ଟର ଗୁଡ଼ିକରୁ ପୁଲିସ କାରବାଇନ୍‌, ଫ୍ୟାକ୍ଟ୍ରି, ଦେଶୀ ବନ୍ଧୁକ, ଟଙ୍କା, କାର ଓ ଆଭୂଷଣ ଜବତ କରିଛି। ଅପରାଧୀମାନେ ଏହି ଜିନିଷଗୁଡ଼ିକ ଲୁଟ କରିଥିଲେ।

କୁଖ୍ୟାତ ଅପରାଧୀମାନଙ୍କ ଉପରକୁ ହୋଇଥିବା ଏନ୍‌କାଉଣ୍ଟର ନେଇ ପୁଲିସ ମହାନିର୍ଦ୍ଦେଶକ ଓପି ସିଂହ କହିଛନ୍ତି ୮ ଜଣଙ୍କ ନାମରେ ୧୫ ହଜାରରୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ବ୍ୟକ୍ତିଗତ ରଣ କୌଶଳ ବଳରେ ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ମୁଜାଫରନଗରରେ ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ସ୍ପେଶାଲ ଟାକ୍ସ ଫୋର୍ସ ଇନ୍ଦ୍ରପାଳକୁ ଏନ୍‌କାଉଣ୍ଟରରେ ଆହତ କରିଛି। ଗାଜିଆବାଦର ଏହି ଅପରାଧୀଙ୍କ ନାମରେ ୩୩ଟି ଅପରାଧୀକ ମାମଲା ଥିଲା। ୨୦୧୩ରେ ହରିଦ୍ୱାରରେ ହୋଇଥିବା ଗୁଳିକାଣ୍ଡରେ ଇନ୍ଦ୍ରପାଳ ସଂଶ୍ଲିଷ୍ଟ ଥିଲା। ଇନ୍ଦ୍ରପାଳଙ୍କ ନାମରେ ୨୫ ହଜାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଗୋରଖପୁର ରାମ ନଗରରେ ଶୁକ୍ରବାର ସକାଳୁ ହୋଇଥିବା ଅନ୍ୟ ଏକ ଏନ୍‌କାଉଣ୍ଟରରେ ୨ଜଣ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର