କାନପୁର: ଉତ୍ତର ପ୍ରଦେଶର କାନପୁରରେ କ୍ରିକେଟ୍ ମ୍ୟାଚ୍‌ ବେଳେ ବୋଲିଙ୍ଗ୍‌ କରି ଆଉଟ୍‌ କରିଦେଇଥିବା ୧୪ ବର୍ଷିୟ ବୋଲର୍‌କୁ ୧୭ ବର୍ଷିୟ ବ୍ୟାଟ୍‌ସ୍‌ମ୍ୟାନ୍‌ ତଣ୍ଟିଚିପି ମାରି ଦେଇଥିବା କଥା ପୁଲିସ କହିଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଘଟଣାଟି ଘତମପୁର ଅଞ୍ଚଳ ଅନ୍ତର୍ଗତ ରଥି ଡେରା ଗାଁରେ ଥିବା ଖୋଲା ପଡ଼ିଆରେ ସୋମବାର ସନ୍ଧ୍ୟାବେଳେ ଘଟିଛି। ଖେଳ ପଡ଼ିଆର ପିଚ୍‌ ଉପରେ ହିଁ ସେ ୧୪ ବର୍ଷିୟ ବୋଲର୍‌ଙ୍କର ମୃତ୍ୟୁ ଘଟିଥିଲା। ୧୭ ବର୍ଷିୟ ବ୍ୟାଟସ୍‌ମ୍ୟାନ୍‌ ଓ ତାଙ୍କୁ ହତ୍ୟାକାଣ୍ଡରେ ସାହାଯ୍ୟ କରିଛନ୍ତି ବୋଲି କୁହାଯାଉଥିବା ଭାଇ ଫେରାର ହୋଇଯାଇଛନ୍ତି।

ପୁଲିସ କହିଛି, ବୋଲର୍‌ ‘କ୍ଲିନ୍‌ ବୋଲ୍‌ଡ୍‌’ କରି ଦେବାରୁ ଅଭିଯୁକ୍ତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାଗରେ ପିଚ୍‌ ଛାଡ଼ି ନ ଯିବାକୁ କହି‌ଲେ। ଫଳରେ ଦୁହିଁଙ୍କ ଭିତରେ ଝଗଡ଼ା ହେଲା। ଏହି ସମୟରେ ଅଭିଯୁକ୍ତ ବ୍ୟାଟ୍‌ସ୍‌ମ୍ୟାନ୍‌ ତା’ର ଭାଇକୁ ଡାକିବାରୁ ବିବାଦ ଆହୁରି ବଢ଼ିଗଲା। ଦୁଇ ଭାଇ ମିଶି ବୋଲର୍‌ଙ୍କୁ ମାର୍‌ଧର୍‌ କଲେ। ବହେ ମାଡ଼ ଦେଇସାରିବା ପରେ ସେମାନେ ବୋଲ୍‌ର୍‌ଙ୍କୁ ତଳେ ପକାଇ ମାଡ଼ିବସି ତଣ୍ଟି ଚିପି ମାରି ପକାଇଲେ।

ଅନ୍ୟ ପିଲାମାନଙ୍କଠାରୁ ଖବର ପାଇ ପରିବାର ଲୋକେ ପଡ଼ିଆରେ ପହଞ୍ଚି ପୀଡ଼ିତଙ୍କୁ ଡାକ୍ତରଖାନା ନେଇଥିଲେ। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କଲେ। ତେଣୁ, ପରିବାର ଲୋକେ ଶବ ନେଇ ଘରକୁ ଫେରି‌ଗଲେ। ସୂଚନା ପାଇ ସ୍ଥାନୀୟ କୋଟୱାଲି ଭାରପ୍ରାପ୍ତ ଅଧିକାରୀ ବିକ୍ରମ ସିଂହ ସଦଳବଳ ଗାଁରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବାକୁ ଉଦ୍ୟମ କଲେ। କିନ୍ତୁ ପରିବାର ଲୋକେ ଶବ ନ ଦେଇ ଘଟଣାସ୍ଥଳକୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ କିଂବା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡକାଯାଉ ବୋଲି କହିଲେ। ଅଭିଯୁକ୍ତଙ୍କୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଶବ ସଂସ୍କାର ମଧ୍ୟ କରିବେ ନାହିଁ ବୋଲି ସେମାନେ ଶୁଣାଇ ଦେଲେ।

ପୁଲିସ ୪ଘଣ୍ଟା କାଳ ବୁଝାଇବା ପରେ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ଦେବା ସହିତ ଥାନାରେ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ।

ଅଭିଯୁକ୍ତାମାନଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି।