ଲକ୍ଷ୍ନୌ: ପ୍ରେମର ପ୍ରମାଣ ମାଗିଲେ ୨ଯୁବକ। ୟୁପିରେ ଜଣେ ଯୁବତୀଙ୍କୁ ୨ଜଣ ଯୁବକ ଭଲପାଇବସିଥିଲେ। ଦିନେ ଦୁହେଁ ଯୁବତୀଙ୍କୁ ତାଙ୍କ ପକ୍ଷ ପଚାରିଥିଲେ। ଆମ ଦୁହିଁଙ୍କ ମଧ୍ୟରୁ କାହାକୁ ଅଧିକ ଭଲପାଅ ବୋଲି ୨ଜଣ ଯୁବକ ପ୍ରଶ୍ନ କରିବାରୁ ଯୁବତୀଜଣକ ଯେଉଁ କାମ କରିଥିଲେ, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯୁବତୀଜଣକ ୨ଜଣ ଯୁବକଙ୍କ ପ୍ରଶ୍ନର ଉତ୍ତର ନଦେଇ ନିଜ ଜୀବନ ହାରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ଜଣ ଯୁବକ ହେଲେ, ଅନୁଜ ଦିୱେଦୀ ଓ ଅମରଦୀପ ତିୱାରୀ।
ମିଳିଥିବା ସୂଚନା ମୁତାବକ, ୟୁପିର କୋଶାମ୍ବୀରେ ସ୍ବାମୀ ମରିଯିବା ପରେ ନିଜ ପିଲାଙ୍କ ସହ ରହୁଥିଲେ ମୃତ ଯୁବତୀଙ୍କ ମା’। ମୃତ ଯୁବତୀ ଏହି ବର୍ଷ ଦ୍ବାଦଶ ପରୀକ୍ଷା ପାସ୍ କରିବା ପରେ ନିଜ ମା’ଙ୍କ ସହ ମାମୁଁଘରକୁ ଯାଇଥିଲେ। ସେଠାରେ ତାଙ୍କର ଦେଖା ଅନୁଜ ଦିୱେଦୀଙ୍କ ସହ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ପାଖ ଗାଁରେ ରହୁଥିବା ଅମରଦୀପ ତିୱାରୀ ମୃତ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେ ଯୁବତୀଙ୍କୁ ପସନ୍ଦ କରୁଥିବାରୁ ତାଙ୍କ ମା’ଙ୍କ ପାଖକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ। ହେଲେ ଝିଅ ପାଠ ପଢ଼ୁଛି ବୋଲି କହି ବିବାହ କରିବାକୁ ମନା କରିଦେଇଥିଲେ ମୃତକଙ୍କ ମା’। ହେଲେ ଅମରଦୀପ ଯୁବତୀଙ୍କ ପିଛା କରିବା ସହ ତାଙ୍କୁ ହଇରାଣ କରିଥିଲେ। ଅନ୍ୟପକ୍ଷରେ ଅମରଦୀପ କଥା ଜାଣିବା ପରେ ଯୁବତୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲା ଅନୁଜ।
କିଛି ଦିନ ଏଭଳି ଚାଲିବା ପରେ ବୁଧବାର ସକାଳ ୮.୩୦ରେ ଅନୁଜ ଓ ଅମରଦୀପ ଯୁବତୀଙ୍କ ପାଖକୁ ଯାଇ ଆମ ଦୁହିଁଙ୍କ ମଧ୍ୟରୁ କାହାକୁ ଅଧିକ ଭଲପାଅ ବୋଲି ପଚାରିଥିଲେ। ଏହାର ଉତ୍ତର ଦେବା ପରିବର୍ତ୍ତେ ଯୁବତୀ ବିରକ୍ତ ହୋଇ ବିଷ ପିଇଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ବି ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।