ନୂଆଦିଲ୍ଲୀ : ଦିଲ୍ଲୀରେ କ୍ୟାବ୍ ଯୋଗେ ଯାତ୍ରା କରିବା କେତେ ସୁରକ୍ଷିତ, ତାହା ଆପଣ ଏହି ଖବର ବିଷୟରେ ଶୁଣିବା ପରେ ଜାଣି ପାରିବେ । ଦିଲ୍ଲୀରେ ଜଣେ ଇଣ୍ଡିଗୋ ପାଇଲଟଙ୍କୁ କ୍ୟାବ୍ ଚାଳକ ନିଜ ଦୁଇ ସହଯୋଗୀଙ୍କ ସହାୟତାରେ ବନ୍ଧକ ରଖି ତାଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟି ନେବା ଖବର ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ୧୨ରେ ଦିଲ୍ଲୀର କେଣ୍ଟ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ପାଇଲଟଜଣଙ୍କ କାନାଡାର ବାସିନ୍ଦା ଥିବା ବେଳେ ସେ ଇଣ୍ଡିଗୋରେ ପାଇଲଟ ଭାବେ କାମ କରୁଛନ୍ତି ।
/sambad/media/post_attachments/wp-content/uploads/2019/07/Robbery.jpg)
ଦିଲ୍ଲୀ ବିମାନବନ୍ଦରରେ ଡିସିପି ସଞ୍ଜୟ ଭାଟିଆଙ୍କ ଅନୁଯାୟୀ, ମହମ୍ମଦ ଜୁଲାଇ ୧୨ ତାରିଖରେ ନିଜ କମ୍ପାନିର କ୍ୟାବ୍କୁ ଅପେକ୍ଷା କରିଥିଲେ । କ୍ୟାବ୍ ନ ପହଞ୍ଚିବାରୁ ସେ ଚାଲି ଚାଲି କେଣ୍ଟରେ ଥିବା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର-୨ରେ ପହଞ୍ଚିଥିଲେ । ଫୋନ କରି ମହମ୍ମଦ ନିଜ କ୍ୟାବ୍ ଚାଳକଙ୍କ ସହ କଥା ହେଉଥିବା ବେଳେ ଆଉ ଜଣେ କ୍ୟାବ୍ ଚାଳକ ଆସି ପହଞ୍ଚିଥିଲେ । ଏହା ପରେ ପୀଡ଼ିତ ତାଙ୍କୁ ୧୦୦ଟଙ୍କା ନେଇ କମ୍ପାନି କ୍ୟାବ୍ ପାଖରେ ଛାଡ଼ିବା ପାଇଁ କହିଥିଲେ । ଅଭିଯୁକ୍ତ ଚାଳକ ରାଜି ହେବାରୁ ପୀଡ଼ିତ ତାଙ୍କ କ୍ୟାବରେ ବସିବା ପରେ ସେଥିରେ ପୂର୍ବରୁ ଦୁଇ ଜଣ ଲୋକ ଉପସ୍ଥିତ ଥିଲେ । କ୍ୟାବ୍ ମେହେରାମ ନଗରରେ ପହଞ୍ଚିବା ପରେ ୩ଜଣ ମିଶି ପୀଡ଼ିତଙ୍କ ଡେବିଟ୍ କାର୍ଡ ଛଡ଼ାଇ ନେଇ ପିନ୍ ନମ୍ବର ମାଗିଥିଲେ । ପିନ୍ ନମ୍ବର ନେଇ ୧ଲକ୍ଷ ଟଙ୍କା ଉଠାଇବା ସହ ପୀଡ଼ିତଙ୍କୁ ରାସ୍ତାରେ ଓହ୍ଲାଇ ସେଠାରୁ ଫେରାର ହୋଇ ଯାଇଥିଲେ ୩ଜଣ ଅଭିଯୁକ୍ତ । ଏ ନେଇ ଏବେ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।