ଅବୈଧ ଯୌନସଂପର୍କ ଲାଗି ଇଣ୍ଡୋନେସୀୟ ମହିଳାଙ୍କୁ ୧୦୦ ଏବଂ ପୁରୁଷଙ୍କୁ ୧୫ ଥର ଚାବୁକ୍‌ ପ୍ରହାର

ଜାକର୍ତା: ଆଚେ ପ୍ରଦେଶରେ ଜଣେ ବ୍ୟଭିଚାରିଣୀ ଇଣ୍ଡୋନେସୀୟ ମହିଳାଙ୍କୁ ସମସ୍ତେ ଦେଖି ପାରିବା ଭଳି ସ୍ଥାନରେ ଗୁରୁବାର ଦିନ ୧୦୦ ଚାବୁକ୍‌ ପ୍ରହାର ଦିଆଯାଇଛି। କିନ୍ତୁ, ଉକ୍ତ ମହିଳାଙ୍କ ସହ ଅପକର୍ମରେ ଲିପ୍ତ ଥିବା ଅଭିଯୋଗକୁ ଅସ୍ବୀକାର କରିଥିବା ଉକ୍ତ ପୁରୁଷଙ୍କୁ ମାତ୍ର ୧୫ ଚାବୁକ୍‌ ପ୍ରହାର ଦିଆଯାଇଛି।

୨୦୧୮ରେ ଦୁହେଁ ‘ପାମ୍‌ ଅଏଲ୍‌ ପ୍ଲାଣ୍ଟେସନ୍‌’ରେ (ତାଳ-ତୈଳ ବଗିଚା) ଧରାପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକଙ୍କ କହିବା ଅନୁସାରେ, ଯନ୍ତ୍ରଣା ଅସହ୍ୟ ହେଉଛି ବୋଲି କହିବାରୁ ଉକ୍ତ ମହିଳାଙ୍କ ଉପରେ ଚାବୁକ୍‌ ପ୍ରହାର ସ୍ବଳ୍ପ ସମୟ ପାଇଁ ବନ୍ଦ ରଖାଯାଇଥିଲା।

ସ୍ବାମୀଙ୍କ ଛଡ଼ା ପର ପୁରୁଷଙ୍କ ସହ ଦୈହିକ ସମ୍ପର୍କ ରଖିଥିବା କଥା ସ୍ବୀକାର କରିବାରୁ ଅଦାଲତ ଉକ୍ତ ମହିଳାଙ୍କ ପ୍ରତି କଠୋର ଦଣ୍ଡ ବିଧାନ କରିଥିଲେ ବୋଲି ‘ପୂର୍ବାଞ୍ଚଳ ଆଚେ ପ୍ରୋଜେକ୍ୟୁଟର୍ସ ଅଫିସ୍‌’ର ସାଧାରଣ ତଦନ୍ତ ବିଭାଗର ମୁଖ୍ୟ ଇଭାନ୍‌ ନାଜାର୍‌ ଅଲ୍‌ବି କହିଛନ୍ତି।

Image Courtesy of Channels Television

ମୁସଲମାନ ବହୁଳ ଇଣ୍ଡୋନେସିଆରେ ଆଚେ ହେଉଛି ଏକମାତ୍ର ଅଞ୍ଚଳ ଯେଉଁଠି ଶାରିଆ ଆଇନ ଲାଗୁ ହୋଇଥାଏ। ସେଠାରେ ଜୁଆ, ଅବୈଧ ଯୌନସଂପର୍କ, ନିଶାସେବନ ଏବଂ ସମଲିଙ୍ଗୀ ଦୈହିକ ସମ୍ପର୍କ ଅଭିଯୋଗରେ ଚାବୁକ ପ୍ରହାର ଦିଆଯାଏ।

ଅଲ୍‌ବି ଆହୁରି ମଧ୍ୟ କହିଛନ୍ତି ଯେ, ‘ପୂର୍ବାଞ୍ଚଳ ଆଚେ ମତ୍ସ୍ୟ ଏଜେନ୍‌ସି’ର ମୁଖ୍ୟ ଥିବା ସମ୍ପୃକ୍ତ ପୁରୁଷଙ୍କୁ ବିଚାରପତିମାନେ ଦୋଷୀ ସାବ୍ୟସ୍ତ କରାଇବାକୁ ବାଟ ପାଇ ନ ଥିଲେ। କାରଣ, ସେ ବିଚାର ସମୟରେ ଲୋକଟି ଆଦୌ ଭୁଲ୍‌ ସ୍ବୀକାର ନ କରିବା ସହ ତାଙ୍କ ବିରୋଧରେ ଆଗତ ସମସ୍ତ ଅଭିଯୋଗ ଖଣ୍ଡନ କରିଥିଲେ। ତେଣୁ, ସେ ଦୋଷୀ ବୋଲି ବିଚାରପତିମାନେ କୌଣସିମତେ ପ୍ରମାଣ କରି ପାରି ନ ଥିଲେ।

ପ୍ରଥମେ ତାଙ୍କୁ ୩୦ ପ୍ରହାର ଦଣ୍ଡାଦେଶ ହୋଇଥିଲା। କିନ୍ତୁ, ଶାରିଆ ସୁପ୍ରିମ୍‌ କୋର୍ଟରେ ତାଙ୍କର ନିବେଦନ ସଫଳ ହେବାରୁ ଦଣ୍ଡାଦେଶ ୧୫କୁ ହ୍ରାସ କରାଯାଇଥିଲା।

ସମ୍ବନ୍ଧିତ ଖବର