ନୂଆଦିଲ୍ଲୀ: ଇନ୍ଦୋରରେ କ୍ରାଇମ ବ୍ରାଞ୍ଚ ଟିମ ଜଣେ ଯୁବତୀଙ୍କୁ ୧୦୦ଗ୍ରାମ ଡ୍ରଗ୍ସ ସହିତ ଧରିଛି। ପୁଲିସ ଯେତେବେଳେ ଉକ୍ତ ଯୁବତୀଙ୍କୁ ଧରିଥିଲା ତାଙ୍କ ପାଖରେ ଶିଶୁର ଡାଇପର ଥିବା ଦେଖିବାକୁ ମିଳିଥିଲା। ଏହି ଡାଇପର ଭିତରେ ଯୁବତୀ ଡ୍ରଗ୍ସ ଲୁଚାଇ ରଖିଥିଲେ। ପଚରାଉଚରା ପରେ ଜଣାପଡ଼ିଲା କି ଯୁବତୀ ଜଣକ ଅନ୍ତର୍ଜାତୀୟ ବିମାନରେ ଜଣେ ଏୟାର ହଷ୍ଟେସ ଭାବେ କାମ କରି ସାରିଛନ୍ତି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବତୀଙ୍କୁ ପୁଲିସ ପଚରାଉଚରା ଜାରି ରଖିଥିଲା।
ଇନ୍ଦୋର ପୁଲିସ କମିଶନର ହରିନାରାୟଣଚାରି ମିଶ୍ରାଙ୍କ କହିବାନୁସାରେ, କିଛିଦିନ ହେବ ପୁଲିସ ନାର୍କୋ ହେଲପଲାଇନ ନମ୍ବରରେ ପାଖାପାଖି ୨୦ରୁ ଅଧିକ ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ କିଛି ଅଭିଯୋଗ ନିଶାଦ୍ରବ କାରବାରକୁ ନେଇ ହୋଇଥିଲା। ଏହି ସବୁ ଘଟଣାକୁ ନେଇ କ୍ରାଇମ ବ୍ରାଞ୍ଚ ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଜଣେ ଯୁବତୀଙ୍କ ଉପରେ କ୍ରାଇମ ବ୍ରାଞ୍ଚର ସନ୍ଦେହ ହୋଇଥିଲା।
ଯାଞ୍ଚରୁ ଜଣାପଡ଼ିଲା କି, ଯୁବତୀ ମୁମ୍ବାଇର ବାସିନ୍ଦା। ସେ ନିଶା କାରବାରରେ ସାମିଲ ରହିଛନ୍ତି। ସନ୍ଦେହ କରି ପୁଲିସ ଯେତେବେଳେ ଉକ୍ତ ଯୁବତୀଙ୍କୁ ଧରିଥିଲା ତାଙ୍କ ପାଖରୁ ଶିଶୁର ଡାଇପର ଜବତ ହୋଇଥିଲା। ଏହି ଡାଇପର ଭିତରେ ଡ୍ରଗ୍ସ ରହିଥିଲା। ତେବେ ଯୁବତୀ ଜଣକ ଏହି ଡ୍ରଗ୍ସ କାହାକୁ ଦେବା ପାଇଁ ଆଣିଥିଲେ ସେନେଇ ପୁଲିସ ପଚରାଉଚରା ଜାରି ରଖିଛି। ଜବତ ହୋଇଥିବା ଡ୍ରଗ୍ସମୂଲ୍ୟ ପାଖାପାଖି ୧୦ଲକ୍ଷ ଟଙ୍କା ହେବ। ଡିସେମ୍ବର ୩୧ରେ ନୂଆବର୍ଷ ଭୋଜିକୁ ଦୃଷ୍ଟିରେ ରଖି ଏହି ଡ୍ରଗ୍ସ କାରବାର କରାଯାଉଥିବା କୁହାଯାଉଛି।