ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ହତ୍ୟାକାଣ୍ଡ : ମାଷ୍ଟରମାଇଣ୍ଡ୍ ସମେତ ୫ ଗିରଫ, ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୨ ମଧ୍ୟସ୍ଥି, ୨ ସୁପାରିକିଲର୍‌

ଫୁଲବାଣୀ : କନ୍ଧମାଳର ଜଣାଶୁଣା ସୂଚନା ଅଧିକାର କର୍ମୀ ବାଲିଗୁଡାର ଅଭିମନ୍ୟୁ ପଣ୍ଡାଙ୍କୁ ହତ୍ୟା ଘଟଣାରେ ପୁଲିସ୍‌ ମାଷ୍ଟର୍‌ମାଇଣ୍ଡ ସୁନାପାଙ୍ଗା ଗ୍ରାମର କେ.ବିଶ୍ବଜିତ୍ ପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅପରାଧୀଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ମଧ୍ୟସ୍ଥି ଓ ୨ ଜଣ ସୁପାରିକିଲର୍‌। ମଧ୍ୟସ୍ଥି ୨ ଜଣ ସାଉଥ୍‌କୋ’ କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ, ଆଉ ଜଣେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।

ଏସ୍‌ପିଙ୍କ ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ବିଶ୍ବଜିତ ବାଲିଗୁଡା ଜଗନ୍ନାଥ ମନ୍ଦିରରେ ଦୋକାନଗୃହ ଆବଣ୍ଟନ ବେଳେ ନିଜ ବାପା ବେଣୁଗୋପାଳଙ୍କ ନାମରେ ଗୋଟିଏ ଦୋକାନ ନେଇଥିଲେ। ଏହି ଦୋକାନଗୃହକୁ ବିଶ୍ବଜିତ ଆଉଜଣଙ୍କୁ ଭଡ଼ା ସୂତ୍ରରେ ଦେଇଥିଲେ। ଆଉ ୩ ବର୍ଷ ହେଲା ନିଜେ ମନ୍ଦିରକୁ ଭଡ଼ା ଦେଉ ନଥିଲେ। ଫଳରେ, ଦେକାନଗୃହ ଛାଡ଼ିବାକୁ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ବିଶ୍ବଜିତଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ବି ସେ ଏହାକୁ ଖାତିର୍ କରୁ ନଥିଲେ। ବରଂ, ସେ ପାଲଟା ଟ୍ରଷ୍ଟ ବୋର୍ଡ ନାମରେ ଅଦାଲତରେ ମକଦ୍ଦମା ରୁଜୁ କରିଥିଲେ। ବିଶ୍ବଜିତଙ୍କୁ ଏଥିପାଇଁ ଆରମ୍ଭରୁ ଟ୍ରଷ୍ଟ୍ ସଦସ୍ୟ ଥିବା ସୂଚନାଅଧିକାର କର୍ମୀ ଅଭିମନ୍ୟୁ ବିରୋଧ କରି ଆସୁଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଫଳରେ ଅଭିମନ୍ୟୁଙ୍କୁ ରାସ୍ତାରୁ ହଟାଇବାକୁ ବିଶ୍ବଜିତ୍ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ସେ ସୁପାରିକିଲର୍ ଖୋଜୁଥିଲେ। ‌ଏଥିରେ ବାଲିଗୁଡା ସାଉଥକୋରେ ଚାକିରି କରୁଥିବା ଗଂଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଥାନାର ବାସିନ୍ଦା ଏସ.ବାଲାଜୀ ଆଚାରୀ ଓ ବଡ଼ଗଡ଼ ଥାନା ବନ୍ଧାଗୁଡ଼ାର ରାସବିହାରୀ ଦାସ ମଧ୍ୟସ୍ଥି ସାଜି ଆସିକାର ୨ ଜଣ ସୁପାରି କିଲର୍‌ଙ୍କୁ ନିୟୋଜିତ କରିଥିଲେ। ଏଥିପାଇଁ ସେମାନଙ୍କ ସହ ୧ଲକ୍ଷ ଟଙ୍କାର ମୂଲ୍‌ଚାଲ ହୋଇଥିଲା। ଯୋଜନା ଅନୁସାରେ, ଗତ ୧୦ ତାରିଖରେ ଅଭିମନ୍ୟୁ ବାଲିଗୁଡା ପାତ୍ରସାହିସ୍ଥିତ ବାସଭବନ ସମ୍ମୁଖରେ ଛିଡ଼ା ହୋଇଥିବାବେଳେ ୨ ସୁପାରି କିଲର୍ ଆସି ବାଇକ୍‌ରେ ଆସି ଗୁଳିମାଡ଼ କରିଥିଲେ। ପୁଲିସର ସ୍ବତନ୍ତ୍ର ଟିମ୍ ଏହାର ତଦନ୍ତ କରିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ସମେତ ମୋଟ ୫ଜଣଙ୍କୁ ଗିରଫ କରାଯାଇଛି ଏବଂ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅନ୍ୟପକ୍ଷରେ, ୨ ସୁପାରିକିଲର୍‌ଙ୍କ ପରିଚୟ ମିଳିନାହିଁ।

ସମ୍ବନ୍ଧିତ ଖବର