ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକଙ୍କୁ ଜିମ୍ ପ୍ରଶିକ୍ଷକ ସୁନ୍ଦର ସ୍ବାସ୍ଥ୍ୟର ଲୋଭ ଦେଖାଇ ନିଷେଧିତ ଇଞ୍ଜେକ୍ସନ ଦେଇ ଦେଇଥିଲେ। ଏହା ପରେ ଯୁବକ ଜଣଙ୍କୁ ଗୁପ୍ତାଙ୍ଗରେ ଯନ୍ତ୍ରଣା ହେବାର ସମସ୍ୟା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଯୁବକ ଜଣକ ଉକ୍ତ ଜିମ ପ୍ରଶିକ୍ଷକଙ୍କ ନାମରେ ମାମଲା ରୁଜୁ କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଇନ୍ଦୋରର ଏମଆଇଜି ପୁଲିସ ଷ୍ଟେସନ ପରିସରର ଚମ୍ପାବାଗ ସିଆଗଞ୍ଜ ଗାଁର ବାସିନ୍ଦା ଏଜାଜ ମଜିଦ୍ ପୁଲିସ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଅଭିଯୋଗ କରିଛନ୍ତି।
ଏଜାଜଙ୍କ ଅନୁଯାୟୀ, ସେ ଅନୁପ ନଗରସ୍ଥିତ 'ୱାନ ଲାଇଫ ଫିଟନେସ ଜିମ'କୁ ବ୍ୟାୟାମ କରିବାକୁ ଯାଉଥିଲେ। ସେଠାରେ ଜିମ ପ୍ରଶିକ୍ଷକ ସଫିକ୍ ଓରଫ ସୋନୁ ଖାନ୍ ଓ ରଇସ୍ ଖାନ୍ ଓଜନ ବୃଦ୍ଧି ସହିତ ସୁନ୍ଦର ସ୍ବାସ୍ଥ୍ୟ ପାଇଁ ତାଙ୍କୁ ପ୍ରଲୋଭିତ କରିଥିଲେ ।
ସୁନ୍ଦର ସ୍ବାସ୍ଥ୍ୟର ଲୋଭ ଦେଖାଇ ଜିମ୍ ଟ୍ରେନର ତାଙ୍କଠାରୁ ତିନି ଲକ୍ଷ ଟଙ୍କା ନେଇ ନିଷେଧିତ ଇନଜେକସନ ଦେଇଥିଲେ। । ଏହି ଇନଜେକସନ ନେବା ପରେ ତାଙ୍କ ଗୁପ୍ତାଙ୍ଗରେ ସଂକ୍ରମଣ ହୋଇଯାଇଥିଲା ଏବଂ ସେ ବହୁତ ଯନ୍ତ୍ରଣା ପାଇଥିଲେ।
ଗତ ରବିବାର ଦିନ ସୋନୁ ଖାନ ଏଜାଜଙ୍କୁ ଆଉ ଏକ ଇନଜେକସନ ମଧ୍ୟ ଦେଇଥିଲେ। କିଛି ଘଣ୍ଟା ପରେ ପରିସ୍ରା କରିବା ସମୟରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ | ଏହା ପରେ ଏଜାଜ ପୁଲିସ ସହ ଯୋଗାଯୋଗ କରି ଜିମ ପ୍ରଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ।
ସୋନୁ ଖାନ ଏବଂ ରାଇସ ଖାନଙ୍କ ବିରୋଧରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ ୨୦୧୯ ରୁ ଏଜାଜଙ୍କୁ ଏହି ନିଷେଧିତ ଇନଜେକସନ ଦେଇ ଆସୁଛନ୍ତି। ତାଙ୍କୁ ସପ୍ତାହରେ ଦୁଇରୁ ତିନିଥର ଏହି ଇନଜେକସନ ଦିଆଯାଉଥିଲା। ବର୍ତ୍ତମାନ ପୁଲିସ ସୋନୁ ଖାନଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ ନିଷେଧିତ ଇନଜେକସନ ଜବତ କରିଛି। ବର୍ତ୍ତମାନ ତାଙ୍କ ଭାଇ ରଇସ୍ ଖାନ୍ ଫେରାର ରହିଛି।