ଏକ ମାସ ହେବ ଝିଅର ମୃତଦେହ ସହିତ ରହିଛନ୍ତି ଅବସରପ୍ରାପ୍ତ ଇନ୍ସପେକ୍ଟର ଓ ତାଙ୍କ ପତ୍ନୀ, ପୁଅ କହିଲେ ଏଭଳି କାରଣ

ମିର୍ଜାପୁର: ଉତ୍ତରପ୍ରଦେଶର ମିର୍ଜାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଟରା କୋତବାଲି କ୍ଷେତ୍ରର ହାଥିୟା ଫାଟକରେ ରହୁଥିବା ଅବସରପ୍ରାପ୍ତ ଇନ୍ସପେକ୍ଟରଙ୍କ ଘରୁ ଏକ ମାସ ହେବ ପଡ଼ି ରହିଥିବା ପଚା-ଶଢ଼ା ମୃତଦେହକୁ ପୁଲିସ ବାହାର କରିଛି। ଘରୁ ଦୁର୍ଗନ୍ଧ ଆସୁଥିବା ନେଇ ସ୍ଥାନୀୟଲୋକ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସୂଚନାଯୋଗ୍ୟ, ହାତିୟା ଫାଟକ ନିବାସୀ ଦିଲାବର ଖାନ୍‌ ୨୦୧୫ରେ  ଏସ୍‌ଆଇ ପଦରୁ ଅବସର ନେଇଥିଲେ। ସେ ଘରେ ନିଜ ପତ୍ନୀ ଓ ଝିଅ ଜିନତ ସହିତ ରହୁଥିଲେ। ଦୁଇ ପୁଅ ଅନଓ୍ୱର ଓ ହୁସେନ ଆଲିଗଡ଼ରେ ରହି ପାଠପଢ଼ୁଥିଲେ। ତିନିବର୍ଷ ହେବ ଦୁହେଁ ଘରକୁ ଫେରି ନଥିଲେ। ରବିବାର ରାତିରେ ଦୁଇ ପୁଅ ଆସି ଘରେ ପହଞ୍ଚିଥିଲେ। ଦୁହେଁ ଜାଣିବାକୁ ପାଇଥିଲେ କି ଘରେ ତାଙ୍କ ଭଉଣୀର ମୃତଦେହ ଏକ ମାସ ହେବ ପଡ଼ି ରହିଛି। ଶବ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସ୍ଥାନୀୟଲୋକେ ଶବର ଦୁର୍ଗନ୍ଧ ହେଉଥିବା ନେଇ ପୁଲିସରେ ସୂଚନା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଝିଅର ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ନେଇ ଲୋକମାନେ ବିଭନ୍ନ ପ୍ରକାର କଥା କହୁଥିବା ଶୁଣିବାକୁ ମିଳୁଛି।

ତେବେ ମୃତ ଯୁବତୀଙ୍କ ଭାଇଙ୍କ କହିବାନୁସାରେ, ତାଙ୍କ ଭଉଣୀଙ୍କ ମାନସିକ ସ୍ଥିତି ଠିକ୍‌ ନଥିଲା। ଭଉଣୀର ମୃତ୍ୟୁ ପରେ ବି ବାପା-ମା ଝିଅ ଜୀବିତ ହେବାର ଆଶା ରଖି ଏକ ମାସ ହେବ କାହାରିକୁ କିଛି ନଜଣାଇ ଘରେ ମୃତଦେହକୁ ରଖିଥିଲେ।

ସମ୍ବନ୍ଧିତ ଖବର