ଭୁବନେଶ୍ୱର/ଜଟଣୀ : ଆଜି ସନ୍ଧ୍ୟାରେ ଜଣେ ଅଭିଯୁକ୍ତଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି କଟକ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ଜଟଣୀ ଥାନାରେ ଥିବା ଶ୍ରୀ ମହାନ୍ତିଙ୍କ ଚାମ୍ବର, ସରକାରୀ ବାସଭବନ ଏବଂ ଢେଙ୍କାନାଳ ସ୍ଥିତ ନିଜ ଘରେ ମଧ୍ୟ ଚଢ଼ଉ ହୋଇଛି। ତାଙ୍କ ସରକାରୀ ଘରୁ ନଗଦ ୫ ଲକ୍ଷ ଟଙ୍କା, ଚାମ୍ବର ଭିତରୁ କେତେକ ସୁନାଗହଣା ଆଦି ଜବତ କରିଛି ଭିଜିଲାନ୍ସ। ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟ ଓ ପରେ କଟକ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚରା କରାଯାଉଛି। ଶ୍ରୀ ମହାନ୍ତି ଗିରଫ ହେବା ପରେ ଜଟଣୀ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ଲୋକ ଥାନାରେ ପଶି ହୋହଲ୍ଲା କରିବା ସହ ଲାଞ୍ଚ ନେଉଥିବା ପୁଲିସ୍ ଅଧିକାରୀଙ୍କୁ ଅପରାଧୀଙ୍କ ଭଳି ଚଲାଇ ଚଲାଇ ନେବାକୁ ଦାବି କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଶ୍ରୀ ମହାନ୍ତିଙ୍କୁ ଠେଲାପେଲା ମଧ୍ୟ କରିଥିଲେ।
ପ୍ରଥମେ ଟିଟୋ ଲିଙ୍କରେ ତାଙ୍କୁ ଗିରଫ କରାଯାଇଥିବା ଚର୍ଚ୍ଚା ହେଉଥିଲେ ହେଁ ଭିଜିଲାନ୍ସ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ,ଶ୍ରୀ ମହାନ୍ତିଙ୍କୁ ମଙ୍ଗଳବାର ନିଲମ୍ବିତ କରାଯିବ ବୋଲି କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।