ଆନ୍ତଃରାଜ୍ୟ କାର୍‌ ଚୋରି ର‍୍ୟାକେଟ୍‌ ଠାବ ଘଟଣା : ପଶ୍ଚିମବଙ୍ଗରେ ଓଡ଼ିଶା ପୁଲିସର ତନାଘନା

ଭୁବନେଶ୍ୱର : ଆନ୍ତଃରାଜ୍ୟ କାର୍ ଚୋରି ର‍୍ୟାକେଟ୍‌ର ଦୁଇ ଜଣଙ୍କୁ ଗିରଫ କରିବା ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ କମିସନରେଟ୍‌ ପୁଲିସର ଏକ ଟିମ୍‌ ପଶ୍ଚିମବଙ୍ଗ ଯାଇ ସେଠାରେ ତନ‌ାଘନା ଚଳାଇଛି। ତିନିଦିନ ଧରି ହୋଇଥିବା ଯାଞ୍ଚରେ ଗୋଟିଏ ଚୋରା ଗାଡ଼ି ଧରାପଡ଼ିବା ସହ ମୁଖ୍ୟ ଅଭିଯୁକ୍ତକୁ ଠାବ କରାଯାଇଛି। ଖୁବ୍‌ଶୀଘ୍ର ଏହି ରୢାକେଟ୍‌ର ଅନ୍ୟମାନଙ୍କୁ ଗିରଫ କରାଯିବା ସହ ୧୦ରୁ ଊର୍ଦ୍ଧ୍ବ ଦାମୀ ଚୋରା କାର୍‌ ଜବତ ହେବ ବୋଲି ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଝାଡ଼ଖଣ୍ଡ ଯିବା ପାଇଁ ମଧ୍ୟ ଟିମ୍‌ ପ୍ରସ୍ତୁତ ହେଉଛି। ପଶ୍ଚିମବଙ୍ଗର କେତେକ ଗାଡ଼ି ଝାଡ଼ଖଣ୍ଡରେ ବିକ୍ରି ହୋଇଥିବା ପୁଲିସ ଜାଣିବାକୁ ପାଇଛି। ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲେ ଆହୁରି ଅନେକ ସଫଳତା କମିସନରେଟ୍‌ ପୁଲିସକୁ ମିଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଗତ ଡିସେମ୍ବର ମାସରେ ଜଣେ ପୁଲିସ ଅଧିକାରୀ ଏକ ଚୋରା ଗାଡ଼ି କିଣିବା ପରେ ବଡ଼ ରୢାକେଟ୍‌ର ସୁରାକ ମିଳିଥିଲା। କମିସନରେଟ୍‌ ପୁଲିସର ସ୍ପେଶାଲ ସ୍କ୍ବାଡ୍‌ ଏଠାରେ ଅନୁଗୁଳ ଛେଣ୍ଡିପଦା ଥାନା ଖମାରର ଚିନ୍ମୟ ସାହୁ ଓ ଝାରପଡ଼ା କେନାଲ ରୋଡ୍‌ ହନୁମାନ ମନ୍ଦିର ନିକଟରେ ରହୁଥିବା ଗୋପାଳ ମହାନ୍ତିକୁ ଗିରଫ କରିଥିଲା। ପରେ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜାଗାରୁ ୮ଟି ଦାମୀ ଗାଡ଼ି ଜବତ କରିଥିଲା। ଉଭୟଙ୍କୁ ସ୍ପେଶାଲ ସ୍କ୍ବାଡ୍‌ ଧରିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ତଦନ୍ତ ବେଳେ ରୢାକେଟ୍‌ର ମାଷ୍ଟରମାଇଣ୍ଡ କଲିକତାର ‘ପାପା’ ବୋଲି ଜଣାପଡ଼ିଥିଲା‌। ତାକୁ ଧରିବା ପାଇଁ ତିନିଦିନ ତଳୁ ଟିମ୍‌ କଲିକତା ଯାଇଥିଲା।

ସମ୍ବନ୍ଧିତ ଖବର