ସମ୍ବଲପୁର : ଆଇପିଏଲ୍ ମ୍ୟାଚକୁ ନେଇ ସମ୍ବଲପୁରରେ ମଧ୍ୟ ଚାଲିଛି ଜୁଆ। ଛତିଶଗଡ଼ରୁ ସମ୍ବଲପୁରକୁ ଲମ୍ବିଛି ଏହାର ଚେର। ରବିବାର ଚେନ୍ନାଇ ସୁପରକିଂଗ ଆଉ ମୁମ୍ବାଇ ଇଣ୍ଡିଆନ ଟିମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଜୋର୍ଦାର ବେଟିଂ ଚାଲିଥିବା ବେଳେ ସମ୍ବଲପୁର ପୁଲିସର ସ୍ୱତନ୍ତ୍ର ସ୍କ୍ଵାଡ୍ ସିନ୍ଦୁରପଙ୍କ ପେଟ୍ରୋଲ ପମ୍ପ ନିକଟରେ ଚଢ଼ଉ କରି ୬ ଜଣ ଏଜେଣ୍ଟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୦ଟି ମୋବାଇଲ ଫୋନ୍ ଓ ନଗଦ ୬୭ ହଜାର ଟଙ୍କା ଜବତ କରାଯାଇଛି।
ରବିବାର ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ସଂଜୀବ ଅରୋରା କହିଲେ, ଚେନ୍ନାଇ ସୁପରକିଂଗ ଆଉ ମୁମ୍ବାଇ ଇଣ୍ଡିଆନ ଟିମ୍ର ମ୍ୟାଚ୍ ପାଇଁ ବେଟିଂ ଚାଲିଥିବା ଖବର ମିିଳିବା ପରେ ସ୍ୱତନ୍ତ୍ର ସ୍କ୍ଵାଡ୍ ଗଠନ କରାଯାଇଥିଲା। ଶନିବାର ରାତି ସାଢ଼େ ୮ଟାରେ ଏହି ସ୍କ୍ଵାଡ୍ ଚଢ଼ଉ କରି ରେଂଗାଲି ମହାବୀର ଛକର ରାଜେଶ ଅଗ୍ରଓ୍ଵାଲ(୪୪), ସମଲେଇ ମନ୍ଦିରପଡ଼ାର ସୁଦର୍ଶନ ମିଶ୍ର(୩୨), ଶାସନ ପାଖ ପ୍ରଧାନପାଲିର ବିଟୁ ଓରଫ ରହଦୀପ ଅଗ୍ରଓ୍ଵାଲ(୪୧), ସମ୍ବଲପୁର ଏସ୍ଆର୍ଆଇଟି କଲୋନିର ସରୋଜ କୁମାର ହୋତା(୩୭), କ୍ଷେତରାଜପୁର ମହାବୀର ଗଳିର ବୁଲୁ ଓରଫ ତପନ ଖେରୁଆଲ(୨୮) ଓ କ୍ଷେତରାଜପୁରର ଆକାଶ ଅଗ୍ରଓ୍ଵାଲଙ୍କୁ ଗିରଫ କରିଥିଲେ। ଛତିଶଗଡ଼ରେ ରହୁଥିବା ବୁକି ମୋବାଇଲ ଫୋନ୍ ଯୋଗେ ସମ୍ବଲପୁରର ଜୁଆ କାରବାର ନିୟନ୍ତ୍ରଣ କରୁଥିଲେ। ବେଟିଂ ମୁଖ୍ୟତଃ ଓଭର ଆଉ ବଲ୍ ପିଛା ଚାଲିଥିଲା। କେଉଁ ଦଳର ବ୍ୟାଟିଂ ବେଳର କେତେ ନମ୍ବର ଓଭରରେ ଏବଂ ଏପରିକି କେତେ ନମ୍ବର ବଲ୍ରେ କେତେ ରନ୍ ସଂଗ୍ରହ ହେବ, ସେ ନେଇ ଲୋକେ ଟଙ୍କା ଲଗାଉଥିଲେ। ରବିବାର ମ୍ୟାଚ୍ରେ ୬ ନମ୍ବର ଓଭରରେ ୪୮/୪୯ ରନ୍ ସଂଗ୍ରହ ହେବା ନେଇ ଟଙ୍କା ଲଗାଯାଇଥିବା ତଦନ୍ତ ବେଳେ ଜଣାପଡ଼ିଲା। ଲୋକେ ଏହି ଏଜେଣ୍ଟମାନଙ୍କୁ ମୋବାଇଲ ଫୋନ୍ ଯୋଗେ ଯୋଗାଯୋଗ କରି ଟଙ୍କା ଲଗାଉ ଥିଲେ। ଏଜେଣ୍ଟ ଅଧୀନରେ କାମ କରୁଥିବା ପିଲାମାନେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ଆଗୁଆ ଟଙ୍କା ସଂଗ୍ରହ କରି ନେଉଥିଲେ। ଅପରପକ୍ଷରେ ଏକ ଲକ୍ଷ ଟଙ୍କାର କାରବାର ପାଇଁ ଏଜେଣ୍ଟମାନଙ୍କୁ ୧୦ ହଜାର ଟଙ୍କା କମିସନ ମିଳୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଛତିଶଗଡ଼ରେ ଥିବା ବୁକିକୁ ଧରିବା ପାଇଁ ସମ୍ବଲପୁର ପୁଲିସ୍ ପ୍ରୟାସ ଚଳାଇଥିବା ଏସ୍ପି ସୂଚନା ଦେଇଛନ୍ତିି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/SBPHO29-5376.jpg)