ଜୟପୁର: ବିବାହ କର, ନହେଲେ ଦୁଷ୍କର୍ମ ଆରୋପ ଲଗାଇ ଫସାଇଦେବି। ଆଇପିଏସ୍ ହେବା ପରେ ଯୁବକଙ୍କୁ ମହିଳା ଡାକ୍ତର ଦେଲେ ଏଭଳି ଧମକ। ରାଜସ୍ଥାନର ଜୟପୁରରେ ଘଟିଛି ଏଭଳି ଘଟଣା। ରାଜସ୍ଥାନ ପ୍ରଶାସନିକ ସେବା(ଆରଏଏସ୍)ରେ ଥିବା ବେଳେ ପୀଡ଼ିତଙ୍କର ଅଭିଯୁକ୍ତ ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ବେଳେ ଯେତେବେଳେ ପୀଡ଼ିତ ଆରଏଏସରୁ ଆଇପିଏଏସ୍ ହେଲେ ସେତେବେଳେ ଅଭିଯୁକ୍ତ ଡାକ୍ତର ତାଙ୍କ ଉପରେ ବିବାହ କରିବାକୁ ଚାପ ପକାଇବା ଆରମ୍ଭ କଲେ।

Advertisment

ଡାକ୍ତରଜଣକ ବିବାହିତ ହୋଇଥିଲେ ବି ସେ ନିଜ ସ୍ବାମୀଙ୍କୁ ଛାଡ଼ି ଆଇପିଏସ୍ ଅଫିସରଙ୍କୁ ବିବାହ କରିବାକୁ ଅଡି ବସିଥିଲେ। ହେଲେ ପୀଡ଼ିତ ମନା କରିବାରୁ ଅଭିଯୁକ୍ତ ଡାକ୍ତର ତାଙ୍କୁ ୫୦ଲକ୍ଷ ଦେବାକୁ କହିଥିଲେ। ବାରମ୍ବାର ଏଭଳି ଧମକ ମିଳିବା ପରେ ଏବେ ପୀଡ଼ିତ ଜୟପୁରର ଜବାହର ସର୍କଲ ଥାନାରେ ପହଞ୍ଚି ଏତଲା ରୁଜୁ କରିଥିବା ଜଣାଯାଇଛି। ପୀଡ଼ିତଙ୍କ ନାମ ରାଜେଶ କୁମାର ମୀନା ବୋଲି ଜଣାପଡ଼ିଛି।

ଜୟପୁରର ମାଲବୀୟ ନଗରରେ ରହୁଥିବା ୩୩ବର୍ଷିୟ ରାଜେଶ କୁମାର ମୀନା କହିଛନ୍ତି ଯେ ୨୦୨୦ରେ ଡୁଙ୍ଗରପୁରରେ ଆରଏଏସ ଭାବରେ ମୁତୟନ ହେବା ସମୟରେ ମୁଁ ଡାକ୍ତର ପ୍ରିୟଙ୍କାଙ୍କୁ ଭେଟିଥିଲି। ସେ ସମୟରେ ପ୍ରିୟଙ୍କା ମୋତେ କହିଥିଲେ ଯେ ମୁଁ ମଧ୍ୟ ଆରଏସଏସ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଆମ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। କିଛି ଦିନ ମଧ୍ୟରେ ଆମେ ଭଲ ବନ୍ଧୁ ହୋଇଥିଲୁ। ପ୍ରିୟଙ୍କା ବିବାହିତ ହୋଇଥିଲେ ବି ସେ ମୋ ପାଇଁ ଖାଇବା ରୋଷେଇ କରି ଆଣନ୍ତି। ଦରକାର ସମୟରେ ସେ ମୋତେ ୩ଲକ୍ଷ ଟଙ୍କା ଦେଇଥିଲେ, ଯାହାକୁ ମୁଁ ଫେରାଇ ଦେଇଥିଲି। ଏହା ପରେ ଏସଡିଏମ ଭାବରେ ମୋର ପୋଷ୍ଟିଂ ହେବାରୁ ମୁଁ ଅନ୍ୟ ସ୍ଥାନକୁ ଚାଲିଯାଇଥିଲି। ତଥାପି ପ୍ରିୟଙ୍କା ମୋତେ ଦେଖା କରିବାକୁ ଆସୁଥିଲେ। ୨୦୨୧ରେ ମୁଁ ଆଇପିଏସ୍ ହେବା ଜାଣି ସେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ମୋତେ ବିବାହ କରିବାକୁ ଚାହୁଥିବା କହିଥିଲେ। ମୁଁ ମନା କରିବାରୁ ସେ ମୋତେ ଧମକ ‌ଦେବା ଆରମ୍ଭ କଲେ।