ୟୁପିଏସସି ପରୀକ୍ଷାରେ କପି କରି ଆଇପିଏସ ଅଫିସର ଗିରଫ

ଚେନ୍ନାଇ: ୟୁପିଏସସି ପରୀକ୍ଷାରେ କପି କରୁଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି ଜଣେ ଆଇପିଏସ ଅଫିସର। ଆଇପିଏସ ପ୍ରୋବେସନ୍‌ରେ ଥିବା ତାମିଲନାଡ଼ୁ କ୍ୟାର୍ଡର ଟ୍ରେନି ଆଇପିଏସ ଅଫିସର ସଫୀର କରିମ୍‌ ଚେନ୍ନାଇର ଏଗ୍‌ମୋର କେନ୍ଦ୍ରଠାରେ ଆଇଏଏସ ପାଇଁ ୟୁପିଏସସି ପରୀକ୍ଷା ଦେଉଥିବା ବେଳେ ମୋବାଇଲ ଫେଶନ ଓ ସ୍ପାଏ କ୍ୟାମେରା ଯୋଗେ କପି କରୁଥିବା ଆଇବି ଅଫିସରମାନେ ଜାଣିପାରି ତାଙ୍କୁ ଘଟଣାସ୍ଥଳରୁ ଧରିବା ସହିତ ସ୍ଥାନୀୟ ପୁଲିସର ଜିମା ଦେଇଛନ୍ତି। ପୁଲିସ ସଫୀର କରିମ୍‌ଙ୍କୁ ଦଫା ୪୨୦ ଓ ୧୨୦ (ଖ)ରେ ଗିରଫ କରି କୋର୍ଟ ଚାଲାଣ କରିଛି।


ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,ସଫୀର କରିମ ବର୍ତ୍ତମାନ ଆଇପିଏସ ପ୍ରୋବସନ୍‌ ଅଫିସର ଭାବେ ତିରୁନେଲଭେଲି ନାଙ୍ଗନେରି ଠାରେ ଏଏସପି ଭାବେ କାର୍ଯ୍ୟରତ ଅଛନ୍ତି। ତେବେ ସେ ଆଇଏଏସ ପାଇଁ ୟୁପିଏସସି ପରୀକ୍ଷା ଦେଉଛନ୍ତି । ଏଥିପାଇଁ ଗତ ସୋମବାର ଦିନ ଏଗମୋର ପ୍ରେସିଡେନ୍ସି ଗାର୍ଲସ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସଫୀର କରିମ ମୋବାଇଲ ଫୋନ ଓ ଇୟର ପିସ୍ ସହ ତାଙ୍କ ସାର୍ଟ ବୋତାମରେ ସ୍ପାଏ କ୍ୟାମେରା ରଖିବା ସହିତ ହାଇଦ୍ରାବାଦରେ ରହୁଥିବା ତାଙ୍କ ପତ୍ନୀ ଜୟସି ଜୟଙ୍କ ସହିତ ଯୋଗାଯୋଗ ରଖିଥିଲେ। ଜୟସି ଜୟ ତାଙ୍କୁ ଏହି ସେଲଫୋନ ମାଧ୍ୟମରେ ପ୍ରଶ୍ନର ଉତ୍ତର ଡାକୁଥିଲେ। ସଫୀର କରିମ ଆଇ ବି ଅଧିକାରୀଙ୍କ ଦ୍ୱାରା ଧରାପଡ଼ିବା ପରେ ପୁଲିସ ହେପାଜତକୁ ଯାଇଥିଲେ। ସଙ୍ଗେ ସଙ୍ଗେ ଚେନାଇ ପୁଲିସ ହାଇଦ୍ରାବାଦ ପୁଲିସ ସହିତ ଯୋଗାଯୋଗ କରି ହାଇଦ୍ରାବାଦର ଅଶୋକନଗର କ୍ରସରୋଡ୍‌ରେ ଥିବା ଇନଷ୍ଟିଚ୍ୟୁଟ୍‌ ଫର ସିଭିଲ ସର୍ଭିସ ନାମକ ଏକ ସଂସ୍ଥାରେ ଅଧ୍ୟାପିକା ଥିବା ଜୟସି ଜୟଙ୍କୁ ମଧ୍ୟ ଗିରଫ କରିଛି।

ସୂଚନା ଯୋଗ୍ୟ ଯେ, କେରଳର ଆଲୁଭା ଅଞ୍ଚଳର ସଫୀର କରିମ ଜଣେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର । ୨୦୧୫ ମସିହାରେ ଦ୍ୱିତୀୟ ଥର ପରୀକ୍ଷା ଦେଇ ୟୁପିଏସସି କ୍ରାକ କରିବା ସହିତ ୧୧୨ ର‍୍ୟାଙ୍କ ହାସଲ କରିଥିଲେ। ତେବେ ଆଇଏଏସ ପାଇବା ପାଇଁ କରିମ୍‌ ପୁଣିଥରେ ୟୁପିଏସସି ପରୀକ୍ଷା ଦେଉଥିଲେ। ତେବେ ଗତ ଶନିବାର ଦିନ କରିମ କୌଣସି ଉପାୟରେ କପି କରୁଥିବା ନେଇ ଅଫିସରମାନେ ଆଇବିଙ୍କୁ ଜଣାଇଥିଲେ। ତେଣୁ ତାଙ୍କ ଉପରେ ନଜର ରଖାଯାଇଥିଲା। ଏପରିକି କରିମଙ୍କ ପତ୍ନୀଙ୍କ ଉପରେ ମଧ୍ୟ ହାଇଦ୍ରାବାଦରେ ନଜର ରଖାଯାଇଥିଲା।

ସୋମବାର ଦିନ କରିମ ପରୀକ୍ଷା ହଲକୁ ଯିବା ପୂର୍ବରୁ ତାଙ୍କ ମୋବାଇଲ ଫୋନ ଗେଟରେ ମୁତୟନ ଅଧିକାରୀଙ୍କୁ ଦେଇ ସେ କାରରେ ଫୋନ୍‌କୁ ରଖିବାକୁ ଭୁଲି ଯାଇଥିବା କହିଥିଲେ। ମାତ୍ର ନିଜ ମୋଜା ଭିତରେ ଆଉଏକ ମୋବାଇଲ ଫୋନ, ଇୟର ପିସ୍‌ ରଖିଥିବା ବେଳେ ସାର୍ଟ ବୋତାମରେ ଏକ କ୍ୟାମେରା ଖଞ୍ଜିଥିଲେ। ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହେବାର ୨୦ ମିନିଟ୍‌ ପରେ ଆଇବି ଅଫିସରମାନେ ପରୀକ୍ଷା କେନ୍ଦ୍ରରେ ପଶି କରିମଙ୍କୁ ସର୍ଚ୍ଚ କରି ତାଙ୍କଠାରୁ କ୍ୟାମେରା, ମୋବାଇଲ ଫୋନ ଓ ଇୟରପିସ ଜବତ କରିଥିଲେ। ପଚରାଉଚରା ବେଳେ କରିମ ସ୍ୱୀକାର କରିଛନ୍ତି ଯେ ସେ ପ୍ରଶ୍ନ ପତ୍ରର ଫଟୋ ଉଠାଇ ତାଙ୍କ ପତ୍ନୀଙ୍କ ପାଖକୁ ପଠାନ୍ତି, ଯିଏ ତାଙ୍କୁ ହାଇଦ୍ରାବାଦରୁ ଉତ୍ତର ଡାକନ୍ତି।
କରିମଙ୍କ ସାଙ୍ଗମାନଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ଦୁର୍ଘଟଣା ଯୋଗୁଁ କରିମ ଆଇପିଏସ ଶାରୀରିକ ପରୀକ୍ଷାରେ ବିଫଳ ହେବା ଆଶଙ୍କା କରି ଆଇଏଏସ ପାଇଁ ଉଦ୍ୟମ ଚଳାଇଥିଲେ।।

ସମ୍ବନ୍ଧିତ ଖବର