ଆଇଆର୍‌ସି ଭିଲେଜରୁ ସେକ୍ସ ର‍୍ୟାକେଟ୍‌ ଠାବ

ସପ୍ତାହକ ମଧ୍ୟରେ ୩୩ ଯୁବତୀ ଉଦ୍ଧାର, ର‍୍ୟାକେଟ ମୁଖ୍ୟ, ଦଲାଲ ସହ ଜଣେ ଗ୍ରାହକ ଗିରଫ

ଭୁବନେଶ୍ୱର: ନୂଆପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌-୫ର ପ୍ଲଟ ନମ୍ବର ୯୭ରେ ଚାଲିଥିବା ଏକ ସେକ୍ସ ର‍୍ୟାକେଟ୍‌ର ପର୍ଦାଫାସ ହୋଇଛି। ନୂଆପଲ୍ଲୀ ଥାନା ପୁଲିସ ସେହି ଘରେ ଚଢ଼ଉ କରି ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦୁଇଜଣ ଗ୍ରାହକ ଓ ର‍୍ୟାକେଟ ମୁଖ୍ୟଙ୍କୁ ଗିରଫ କରିଛି। ସେମାନେ ହେଲେ, ର‍୍ୟାକେଟ୍‌ ମୁଖ୍ୟ ତଥା କେଉଁଝର ଜିଲ୍ଲା ନନ୍ଦିପଡ଼ା ଥାନା ଜାବିରପୁର ଲିଟୁ ସେନାପତି, ଭଦ୍ରକ ଜିଲ୍ଲା କେନ୍ଦୁଆପଦାର ଗ୍ରାହକ ଦେବାଶିଷ ସ୍ୱାଇଁ, ସାଲିଆସାହିର ଦଲାଲ ଜଗଦୀଶ ଚନ୍ଦ୍ର ଜେନା। ପୁଲିସ ସେହି ଘରୁ ୪ଟି ମୋବାଇଲ ସମତେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିିଛି। ସମସ୍ତଙ୍କୁ ଆସନ୍ତାକାଲି କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀମାଇନା କରାଯିବ। ଯୁବତୀମାନଙ୍କୁ ସର୍ଟ୍‌ଷ୍ଟେ’ ହୋମ୍‌ରେ ଛଡ଼ା ଯିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ କହିଛନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ୬ ମାସରୁ ଅଧିକ ଦିନ ହେବ ଏଠାରେ ଏକ ମସାଜ୍‌ ସେଣ୍ଟର୍‌ ଚାଲିଥିଲା। ପ୍ରତିଦିନ ଏଠାକୁ ନୂଆନୂଆ ଲୋକ ଆସୁଥିଲେ। କାହାରି ସନ୍ଦେହ ନହେବା ପାଇଁ ଘରଟିକୁ ସଂପୂର୍ଣ୍ଣ ଅଫିସ ଭଳି ସଜା ଯାଇଥିଲା। ତେବେ ଏଠାରେ ଦେହ ବେପାର ଚାଲିଥିବା ନେଇ କିଛି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ ମଧ୍ୟ ଉପଯୁକ୍ତ ପ୍ରମାଣ ନଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପାରୁ ନଥିଲା। ତେବେ ପୁଲିସ ଆଜି ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ କିଛି ଗ୍ରାହକ ସେହି ଘରେ ଉପସ୍ଥିତ ଅଛନ୍ତି। ପୁଲିସ କାଳବିଳମ୍ବ ନ କରି ସେଠାରେ ଚଢ଼ଉ କରିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ ସମାନଧରଣର ଘଟଣାରେ ଲିଟୁକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଥିଲା। ସେତେବେଳେ ପୁଲିସ ୩ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା। ତେବେ ଦୀର୍ଘ ଛଅ ମାସ ଧରି ନୂଆପଲ୍ଲୀ ଭଳି ଏକ ଭିଆଇପି ଅଞ୍ଚଳରେ କିଭଳି ଏହି ଦେହ ବ୍ୟବସାୟ ସୁରକ୍ଷିତ ଭାବେ ଚାଲିଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ସପ୍ତାହକ ମଧ୍ୟରେ କମିସନରେଟ୍‌ ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରୁ ୩ଟି ସେକ୍ସ ର‍୍ୟାକେଟ୍‌ ଠାବ କରିଛି। ତେବେ କ୍ୟାପିଟାଲ ଥାନା ଅଧୀନ ବାପୁଜୀନଗର ଏଚ୍‌ଟୁଓ ସ୍ପାରୁ ଥାଇଲ୍ୟାଣ୍ଡ ଯୁବତୀ ଉଦ୍ଧାର ହେବା ଘଟଣା ଏବେ ଚର୍ଚାର ବିଷୟ ପାଲଟିଛି। ଅନ୍ୟପଟେ ସନ୍ଧ୍ୟାରେ ଜଣେ ମହିଳା ନୂଆପଲ୍ଲୀ ଥାନାକୁ ଆସି କହିଛନ୍ତି କି ଜାଣିଶୁଣି ତାଙ୍କ ସଂସ୍ଥାକୁ ବଦନାମ କରିବା ସହ ତାଙ୍କ ସ୍ୱାମୀକୁ ଫସାଇ ଦିଆଯାଇଛି। ପ୍ରକୃତରେ ସେଠାରେ ସେମିତି କୌଣସି ଅନୈତିକ କାମ କରାଯାଉ ନଥିଲା। କିଛିଦିନ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ସଂସ୍ଥାକୁ ଚାନ୍ଦା ମାଗିଥିଲେ। ଚାନ୍ଦା ନ ଦେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ଏଭଳି ମିଛ ଅଭିଯୋଗରେ ଫସାଇଛନ୍ତି। ଯଦି ମସାଜ ସେଣ୍ଟର୍‌ରେ ସେମିତି କିଛି ଚାଲୁଥିଲା। ତେବେ ସେ ପୂର୍ବରୁ କାହିଁକି ଅଭିଯୋଗ କରୁ ନଥିଲେ? ପୁଲିସ ସିସିଟିଭି ପୁଟେଜ୍‌ ଯାଞ୍ଚ କରିବା ପାଇଁ ସେ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର