ନୂଆଦିଲ୍ଳୀ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ର ସଦସ୍ୟ ବୋଲି ସନ୍ଦେହ କରି ଶନିବାର ମୁମ୍ବାଇ ବିମାନ ବନ୍ଦରରୁ ଅବୁ ଜଇଦି ନାମକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅବୁଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ଅଜ୍‌ମାଗଡ଼ ଟାଉନ୍‌। ସେ ସାଉଦି ଆରବରେ ରହି ସୋସିଆଲ୍‌ ମିଡିଆ ଦ୍ୱାରା ଭାରତୀୟ ଯୁବକଙ୍କୁ ଆଇଏସ୍‌ଆଇଏସ୍‌ର ଆତଙ୍କବାଦୀ ସାଜିବା ପାଇଁ ପ୍ରବର୍ତ୍ତଉଥିବା ଅଭିଯୋଗ ହୋଇଛି। ଆବୁ ଶନିବାର ସଂଧ୍ୟାରେ ସାଉଦି ଆରବରୁ ଫେରୁଥିବା ବେଳେ ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଜିମ୍‌ ସ୍ୱାଡ(ଏଟିଏସ୍‌) ଟିମ୍‌ ତାଙ୍କୁ ଗିରଫ କରିଛି।

Advertisment

ଏସ୍‌ଆଇଏସ୍‌ରେ ସଂପୃକ୍ତି ଥିବା ସନ୍ଦେହ କରାଯାଉଥିବା ଅବୁଙ୍କୁ ଲକ୍ଷ୍ନୌ ନିଆଯାଇ କୋର୍ଟ ପଠାଯିବ।ତାଙ୍କୁ ପଚରାଉଚରା କରିବା ପାଇଁ ପୁଲିସ୍‌ ହେପାଜତରେ ରଖାଯିବ ବୋଲି ଏଡିଜି ମତ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍‌ ମାସରେ ଏଟିଏସ୍‌ ଟିମ୍‌ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ସନ୍ଦେହରେ ୪ ଜଣଙ୍କୁ ଗିରଫ କରିଥିଲା। ସେହିପରି ଅକ୍ଟୋବର ୨୫ ତାରିଖରେ ମଧ୍ୟ ଆଇଏସ୍‌ଆଇଏସ୍‌ ସହ ସଂପୃକ୍ତି ଥିବା ସନ୍ଦେହରେ ୩ ଜଣ ଅଭିଯୁକ୍ତ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ। ଗତ ଗୁରୁବାର କେରଳ ପୁଲିସ୍‌ ସୂଚନା ଦେଇଥିଲା ଯେ କୁନୁରର ୪ ଜଣ ଯୁବକ ସିରିୟାର ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ସୂଚନା ମୁତାବକ, ନିକଟ ଅତୀତରେ ପାଖାପାଖି ୧୦୦ ଭାରତୀୟ ଇସ୍‌ଲାମିକ୍‌ ଷ୍ଟେଟ୍‌ ମୁଖ୍ୟତଃ ସିରିଆ ଏବଂ ଇରାକରେ ଆତଙ୍କବାଦୀ ସାଜି ସାରିଲେଣି।