ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଆୟକର ଅଧିକାରୀଙ୍କୁ ୭ ବର୍ଷ ସଶ୍ରମ ଜେଲ୍, ୯୦ ବର୍ଷୀୟା ମା’ଙ୍କୁ ବର୍ଷେ

ଡେରାଡ଼ୁନ୍‌: ୧୪ ବର୍ଷ ତଳର ଏକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ ଡେରାଡ଼ୁନ୍‌ର ବରିଷ୍ଠ ଆୟକର କମିସନର ଶ୍ବେତାଭ ସୁମନଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହ ତାଙ୍କୁ ସାଢ଼େ ୩ କୋଟି ଜରିମାନା କରାଯାଇଛି। ଏହି ମାମଲାରେ ସୁମନଙ୍କ ୯୦ ବର୍ଷୀୟା ମା’ଙ୍କୁ ମଧ୍ୟ ୧ ବର୍ଷ କାରାଦଣ୍ଡ ଏବଂ ତାଙ୍କ ଭିଣୋଇ ଅରୁଣ କୁମାର ସିଂହ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ରାଜେନ୍ଦ୍ର ବିକ୍ରମ ସିଂହଙ୍କୁ ମଧ୍ୟ ୪ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ହୋଇଛି। ଉଲ୍ଲେଖଯୋଗ୍ୟ, ଆୟକର ଅଧିକାରୀ ସୁମନ୍‌ ୧୯୯୭ରୁ ୨୦୦୪ ମଧ୍ୟରେ ନିଜ ନାଁ ସହ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ୨୦୦୫ ଅଗଷ୍ଟ ୨ରେ ସୁମନଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ସିବିଆଇ ୨୦୧୦ ଜୁଲାଇ ୨୩ରେ ଦାଖଲ କରିଥିବା ଚାର୍ଜସିଟ୍‌ରେ ସୁମନ ୩.୩୧ କୋଟି ଟଙ୍କା ସମ୍ପତ୍ତିର ଅଧିକାରୀ ଥିଲେ ଯାହା ତାଙ୍କ ଆୟଠାରୁ ୩୩୭ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଥିଲା। ଡେରାଡ଼ୁନ୍‌‌ରେ ମଧ୍ୟ ସୁମନଙ୍କ ବିରୋଧରେ ଆହୁରି ୩ଟି ମାମଲା ରହିଛି।

ସମ୍ବନ୍ଧିତ ଖବର