ମୁମ୍ବାଇ: ନିଜକୁ ଜଣେ ଟୁର୍ ଗାଇଡ୍ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଜୁନ୍ ୧୪ ତାରିଖ ଦିନ ମୁମ୍ବାଇର ଜୁହୁ ଅଞ୍ଚଳରେ ଏକ କାର୍ ଭିତରେ ଜଣେ ୩୭ ବର୍ଷୀୟ ଇତାଲୀୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା କଥା ରବିବାର ଦିନ ପୁଲିସ କହିଛି। ପୁଲିସ
କହିବାନୁସାରେ, ଶୁକ୍ରବାର ଦିନ ଦାଏର୍ କରିଥିବା ଅଭିଯୋଗ ପତ୍ରରେ ପୀଡ଼ିତା ସେ ଦିନର ଘଟଣା ଉଲ୍ଲେଖ କରିଛନ୍ତି। ମୁମ୍ବାଇର ସାଇଟ୍ସିଇଙ୍ଗ୍ ଟୁର୍ର ଅଂଶ ସ୍ୱରୂପ ସେ ଏକ ବସ୍ରେ ଯାତ୍ରା କରିଥିଲେ।
ଜୁନ୍ ୧୪ ତାରିଖ ଦିନ ବସ୍ ଟୁର୍ କରୁଥିବା ବେଳେ ସେ ଅଭିଯୁକ୍ତଙ୍କୁ ଭେଟିଥିଲେ। ଅଭିଯୁକ୍ତ ନିଜକୁ ଜଣେ ଟୁର୍ ଗାଇଡ୍ ବୋଲି ପରିଚୟ ଦେଇ ତାଙ୍କୁ ଗାଇଡ୍ ଭାବେ ଗ୍ରହଣ କରିବାକୁ କହିଥିଲେ।
ସେଦିନ ଜୁହୁରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଟୁର୍ ସରିବାରୁ ଅଭିଯୁକ୍ତ ତାଙ୍କୁ ସେ ଅଞ୍ଚଳରେ ଥିବା ସୁପର୍ଷ୍ଟାର୍ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଦେଖାଇ ଦେବେ ବୋଲି କହିଥିଲେ।
ପରେ ସେ ତାଙ୍କୁ ତାଙ୍କର ରହଣୀସ୍ଥଳ କୋଲାବା ହୋଟେଲ୍ରେ ନେଇ ଛାଡ଼ି ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଭିଯୁକ୍ତ ଗାଇଡ୍ କାର୍ଟିଏ ବୁକ୍ କଲେ ଓ ଉଭୟ ସେଥିରେ ଅଳ୍ପ ବାଟ ଯିବା ପରେ ମଦ କିଣିବାକୁ ଗାଡ଼ି ଅଟକାଇଥିଲେ।
ଅଭିଯୁକ୍ତ ଗାଇଡ୍ ତାଙ୍କୁ ବଳପୂର୍ବକ ମଦ ପିଆଇ ଅସଭ୍ୟ ଭାବେ ସ୍ପର୍ଶ କଲେ। ପରେ ପରେ ସେହି କାର୍ ଭିତରେ ହିଁ ସେ ତାଙ୍କ ସହ ଦୁଷ୍କର୍ମ କଲେ।
ପୀଡ଼ିତା ଇତାଲୀୟ ରାଷ୍ଟ୍ରଦୂତ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେମାନେ ତାଙ୍କୁ ସ୍ଥାନୀୟ ଥାନାରେ ମାମଲା ଦାଏର୍ କରିବାକୁ କହିଥିବା କଥା ପୁଲିସ କହୁଛି।
ତାଙ୍କ ଅଭିଯୋଗ ଆଧାରରେ କୋଲାବା ଥାନାରେ ଏକ ‘ଜିରୋ ଏଫ୍ଆଇର୍’ ଦାଏର୍ କରାଯିବା ପରେ ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଥିବା ଅଞ୍ଚଳ ଜୁହୁ ଥାନାକୁ ମାମଲାଟିକୁ ସ୍ଥାନାନ୍ତର କରାଗଲା।
ଏକ ଦୁଷ୍କର୍ମ ଅଭିଯୋଗ ଦାଏର୍ କରାଯିବା ପରେ ପୁଲିସ ଟିମ୍ ସବୁ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି। ଅଧିକ ତଦନ୍ତ ଚାଲିଛି ବୋଲି ଜୁହୁ ପୁଲିସ ଅଧିକାରୀ କହିଛନ୍ତି।
ଗତବର୍ଷ ଡିସେମ୍ବର ମାସରେ ପୀଡ଼ିତା ଭାରତକୁ ଆସିଥିଲେ। ଜୁନ୍ ୧୧ ତାରିଖରେ ସେ ମୁମ୍ବାଇରେ ପହଞ୍ଚି ଥିଲେ।