ହତ୍ୟା ନୁହେଁ, ଅଘଟଣରୁ ମୃତ୍ୟୁ! ଭୌମନଗର କାଠ ମିସ୍ତ୍ରି ହତ୍ୟା ମାମଲା

ଭୁବନେଶ୍ୱର: ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ଭୌମନଗରରେ ଗୋପୀନାଥ ମହାରଣା କାଠ ମିସ୍ତ୍ରିଙ୍କ ମୃତ୍ୟୁ ଘଟଣା ଉପରୁ ରହସ୍ୟ ଫିଟିବାରେ ଲାଗିଛି। ଗୋପୀନାଥଙ୍କୁ ହତ୍ୟା ନୁହେଁ ବରଂ ଅଘଟଣରୁ ହିଁ ତାଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ସୋମବାର ବିଳମ୍ବିତ ରାତିରେ ଖାରବେଳନଗର ଥାନା ପୁଲିସ ଗୋପୀନାଥଙ୍କ ଭାଇ ଓ ପୁଅଙ୍କ ବୟାନ ସିଆର୍‌ପିସିର ଧାରା ୧୬୪ ଅନୁଯାୟୀ ବୟାନ ରେକର୍ଡ କରିଛି। ପୁଲିସ ପାଖାପାଖି ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଉଭୟଙ୍କୁ ଜେରା କରିଥିଲା। ଗୋପୀନାଥଙ୍କ ସହ କାହାର ଶତ୍ରୁତା ଥିଲା କି? କୌଣସି କାମ ପାଇଁ ଅଗ୍ରୀମ ଟଙ୍କା ଆଣିଥିଲେ କି? ପାରିବାରିକ ସମସ୍ୟା ଥିଲା କି? ଆଦି ବିଭିନ୍ନ ଦିଗ ଉପରେ ପୁଲିସ ଉଭୟଙ୍କୁ ଜେରା କରିଥିଲା। ସେହିପରି ଆଜି ଆଜି ମୃତ ଗୋପୀନାଥଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ବେକରେ ଗଭୀର କ୍ଷତ ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଗୋପୀନାଥଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ବେକରେ ଥିବା ଏକ ମୁଖ୍ୟ ଶିରାଟି କଟିଯିବା ଯୋଗୁଁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପୁଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ପରେ ଗୋପୀନାଥଙ୍କ ମୃତ୍ୟୁକୁ ଏକ ଅଘଟଣ ବୋଲି କହୁଛି। ଫୁଟେଜ୍‌ରେ ଥିବା ଦୃଶ୍ୟରୁ ଜଣାପଡ଼ିଛି ଯେ, ଯେଉଁ ସମୟରେ ଗୋପୀନାଥ ଘରେ ଥିଲେ ସେହି ସମୟରେ ତାଙ୍କ ନିକଟକୁ କୌଣସି ବ୍ୟକ୍ତି ଯାଇନଥିଲେ। ଯେଉଁ ବ୍ୟକ୍ତି ଜଣଙ୍କ ପ୍ରଥମେ ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ସେ ହିଁ କେବଳ ଗୋପୀନାଥଙ୍କ ନିକଟକୁ ଯାଇଥିଲେ। ଆଉ ସେ ଗୋପୀନାଥଙ୍କ ରୁମ୍‌କୁ ଯିବାର କିଛି କ୍ଷଣ ମଧ୍ୟରେ ବାହାରକୁ ଆସିଥିଲେ। ଆଉ ଚିତ୍କାର କରି ସମସ୍ତଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଅନ୍ୟପଟେ ଥାନା ଅଧିକାରୀ ଏସିପି ଅନୁପ କାନୁନ୍‌ଗୋ କହିଛନ୍ତି ଯେ, ସମସ୍ତଙ୍କ ବୟାନ, ସିସିଟିଭି ଫୁଟେଜ୍‌ ଏବଂ ଅନ୍ୟ ଦିଗଗୁଡ଼ିକୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର