କୁଖ୍ୟାତ ସୁପାରି କିଲର୍‌ ଜଗନ୍‌ ଗିରଫ

ମୋଷ୍ଟ ଓ୍ଵାଣ୍ଟେଡ୍‌ ଗ୍ୟାଙ୍ଗ୍‌କୁ ଧରିଲା ସ୍ପେସାଲ୍‌ ସ୍କ୍ଵାଡ୍‌

ଖଣ୍ଡଗିରି: କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି ମୋଷ୍ଟ ଓ୍ଵାଣ୍ଟେଡ୍‌ ସୁପାରି କିଲର୍‌ ଜଗନ୍‌ ପ୍ରଧାନ। ୨୦୧୬ ମସିହାରୁ ପୁଲିସ ଆଖିରେ ଧୂଳି ଦେଇ ଫେରାର୍‌ ହୋଇଥିବା ଜଗନ୍‌ ହିଁ ରାଜଧାନୀରେ ଚଳାଇଥିଲା ଗୋଟିକ ପରେ ଗୋଟିଏ ଲୁଟ୍‌ ଓ ରାହାଜାନି। କିନ୍ତୁ ଶେଷରେ ସୋମବାର କମିସନରେଟ୍‌ ପୁଲିସର ସ୍ପେସାଲ୍‌ ସ୍କ୍ଵାଡ୍‌ ଜଗନ୍‌ ଓ ତା’ର ଅନ୍ୟତମ ସହଯୋଗୀ ରତ୍ନାକର ପଲେଇକୁ କାବୁ କରିଛି। ପୂର୍ବରୁ ତା’ର ଦୁଇ ସହଯୋଗୀଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। ଜଗନ୍‌ ଓ ରତ୍ନାକରକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। କଟକ ଗୋବିନ୍ଦପୁର ଥାନା ପୁଲିସ ତାକୁ ରିମାଣ୍ଡରେ ନେଇ ୨୦୧୬ ମସିହାରେ ଘଟିଥିବା ଏକ ହତ୍ୟାକାଣ୍ଡ ବାବଦରେ ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି।
ଜଗନ୍‌ର ଘର ଖୋର୍ଧା ଓସ୍ତପୁରରେ। ସେ ଏବେ କଟକ ମଧୁପାଟଣା ଥାନା ନୂଆପଡ଼ା କାଜିଡିହରେ ରହୁଥିଲା। ସେହିଭଳି ରତ୍ନାକରର ଘର କେନ୍ଦ୍ରାପଡ଼ା ରାଜକନିକାରେ ଓ ସେ ବି ଜଗନ୍‌ ସହ ରହୁଥିଲା। ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଗନ୍‌ ଗ୍ୟାଙ୍ଗ୍‌ର ଅନ୍ୟ ଦୁଇ ସହଯୋଗୀ ହେଲେ ଶିଶୁପାଳ ବ୍ରହ୍ମେଶ୍ୱରପାଟଣାରେ ରହୁଥିବା ପୁରୀ ମାଟିଆପଡ଼ାର ସୁନୀଲ କାଣ୍ଡି(୨୩) ଓ ପୁରୁଣା ଭୁବନେଶ୍ୱର ରଥରୋଡ୍‌ରେ ରହୁଥିବା ଖୋର୍ଧା ବେଗୁନିଆ ଡିଙ୍ଗରର ସତ୍ୟବ୍ରତ ପାତ୍ର (୨୨)। ଖଣ୍ଡଗିରି ଥାନା ପୁଲିସ ସୂଚନାନୁସାରେ ଗତ ଜୁଲାଇ ୧୬ ତାରିଖ ରାତି ପ୍ରାୟ ୟୁନିଟ୍‌-୮ ଅଞ୍ଚଳର ତାରିଣୀ ପଣ୍ଡା ନିଜ ବାଇକ୍‌ ଯୋଗେ ଡୁମୁଡୁମାରୁ ଘରକୁ ଫେରୁଥିଲେ। ଫାୟାର୍‌ ଷ୍ଟେସନ୍‌ ଛକରେ ଏକ ଫୋନ୍‌ କଲ୍‌ ପାଇ ସେ ରାସ୍ତାକଡ଼କୁ ବାଇକ୍‌ ନେଇ ଅଟକି ଯାଇଥିଲେ। ସେ ଫୋନ୍‌ରେ କଥା ହେଉଥିବାବେଳେ ଜଗନ୍‌ ଓ ତା’ର ସହଯୋଗୀମାନେ ସେଠାରେ ପହଞ୍ଚି ତାରିଣୀଙ୍କୁ ଅତର୍କିତଭାବେ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ନେଇ ଚମ୍ପଟ ମାରିଥିଲେ। ଅଗଷ୍ଟ ୩୦ ତାରିଖରେ ପୁଲିସ ସୁନୀଲ୍‌ ଓ ସତ୍ୟବ୍ରତକୁ ଗିରଫ କରିବାରେ ସଫଳ ହୋଇଥିଲା। କିନ୍ତୁ ଜଗନ୍‌ ଓ ରତ୍ନାକରକୁ ପୁଲିସ ଗିରଫ କରିପାରିନଥିଲା।
ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ଭୋର୍‌ ସ୍ପେସାଲ୍‌ ସ୍କ୍ଵାଡ୍‌ ଅଧିକାରୀ ଅନୁପ୍‌ କାନୁନ୍‌ଗୋ ଓ ତାଙ୍କ ଟିମ୍‌ କଟକ ସଦର କାଜିଡିହରେ ଚଢ଼ଉ କରି ଜଗନ୍‌ ଓ ରତ୍ନାକରକୁ ଗିରଫ କରିଥିଲେ।
ପୁଲିସ ସୂଚନାନୁସାରେ ଜଗନ୍‌ ଗ୍ୟାଙ୍ଗ୍‌ ବାଲିପାଟଣାସ୍ଥିତ ଏକ ପେଟ୍ରୋଲ ପମ୍ପରେ ବୋମା ପକାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଏହା ପୂର୍ବରୁ ସେମାନେ କଟକ ଜିଲ୍ଲାର ବହୁ ଥାନା ଅଞ୍ଚଳରେ ହତ୍ୟା, ଲୁଟ୍‌, ଛିନ୍‌ତାଇ ଓ ରାହାଜାନି ଭଳି ବିଭିନ୍ନ ସଂଗିନ୍‌ ଅପରାଧ ଘଟାଇଛନ୍ତି। ତେବେ ୨୦୧୬ ମସିହାରେ ଜଗନ୍‌ ଗ୍ୟାଙ୍ଗ୍‌ କଟକ ଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଭିଆଇଥିଲେ। ସୁପାରି ନେଇ ଜଣେ ବୃଦ୍ଧଙ୍କୁ ବମ୍‌ ପକାଇ ହତ୍ୟା କରିଥିଲେ। ସେହିଦିନଠାରୁ ଜଗନ୍‌ ପୁଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌ ହୋଇଥିଲେ ବି ଧରାପଡ଼ିନଥିଲା। ବର୍ତମାନ ସୁଦ୍ଧା ଜଗନ୍‌ ଗ୍ୟାଙ୍ଗ୍‌ ନାଁରେ ମଧୁପାଟଣା, କଟକ ସଦର, ଖଣ୍ଡଗିରି, ଗୋବିନ୍ଦପୁର ଓ ବାଲିପାଟଣା ଏମିତି ୫ଟି ଥାନାରେ ମାମଲା ରହିଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

କଥା କଥାକେ ବୋମାମାଡ଼
ଜଗନ୍‌ ଗ୍ୟାଙ୍ଗ୍‌ ପିସ୍ତଲ ବ୍ୟବହାର କରୁନଥିବା ପୁଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗ୍‌ ଠେଙ୍ଗାବାଡ଼ି ବା ଲୁହା ପାଇପ୍‌କୁ ମାରଣାସ୍ତ୍ର ଭାବେ ବ୍ୟବହାର କରୁଥିଲେ। କିନ୍ତୁ ବୋମା ଥିଲା ଏମାନଙ୍କ ପ୍ରମୁଖ ଅସ୍ତ୍ର। ବୋମା ଭିଡ଼ାଠାରୁ ଆରମ୍ଭ କରି ବୋମାମାଡ଼ ପର୍ଯ୍ୟନ୍ତ ସବୁଥିରେ ଜଗନ୍‌ ଥିଲା ମାହିର୍‌। ଜଗନ୍‌ ତିଆରି ବୋମା ବି ମାରାତ୍ମକ। ସୁପାରି ନେଇ କଟକ ଗୋବିନ୍ଦପୁରରେ ସେ ବୋମାମାଡ଼ କରି ଜଣଙ୍କୁ ହତ୍ୟା କରିଥିଲା। ବାଲିପାଟଣା ପେଟ୍ରୋଲ ପମ୍ପରୁ ଡକାୟତି କଲା ବେଳେ ବୋମାମାଡ଼ କରିଥିଲା। ତେଣୁ ବଡ଼ ଭୟଙ୍କର ଥିଲା ଏହି ଜଗନ୍‌ ଗ୍ୟାଙ୍ଗ୍‌।

ସମ୍ବନ୍ଧିତ ଖବର