ଯୁବତୀଙ୍କୁ ଆଶ୍ରମ ଭିତରେ ଦୁଷ୍କର୍ମ କରି ଜୈନମୁନୀ ଗିରଫ

ସୁରଟ: ଭାରତୀୟ ଜନ ଜୀବନରେ ବାବା, ମୁନି ଋଷିମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେମାନଙ୍କୁ ଲୋକେ ବେଶ ଉଚ୍ଚ ଆସନରେ ବସାଇଥାନ୍ତି। ହୁଏତ ସେଇଥି ପାଇଁ ଆଜି ମଧ୍ୟ ଲୋକେ କୌଣସି ସାଧୁ ସନ୍ଥଙ୍କୁ ଦେଖିଲେ ସେମାନଙ୍କୁ ସମ୍ମାନଦ କରିଥାନ୍ତି ଓ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିନ୍ତୁ ଗତ କିଛି ବର୍ଷ ହେବ କିଛି ଭଣ୍ଡବାବାଙ୍କ କାରନାମା ଯୋଗୁଁ ପ୍ରକୃୃତ ସାଧୁସନ୍ଥମାନେ ତ୍ରାହି ତ୍ରାହି ଡାକିଲେଣି। ଏପରିକି କେତେକ ସାଧୁ ତ ନିଜ ନାମ ପଛରେ ଆଉ ବାବା ଶବ୍ଦ ଲଗାଇବାକୁ ଚାହୁଁ ନାହାନ୍ତି। ଆଶାରାମ ବାପୁ, ସ୍ୱାମୀ ନିତ୍ୟାନନ୍ଦ, ନାରାୟଣ ସ୍ୱାମୀ, ଓଡ଼ିଶାର ସାରଥୀ ବାବା, ସୁର ବାବାଙ୍କ କଳଙ୍କିତ ଇତିହାସ ସହିତ ପୁଣି ଆଉ ଜଣେ ଦୁଷ୍କର୍ମକାରୀ ବାବାଙ୍କ ନାମ ଯୋଡ଼ି ହୋଇଛି। ସେ ହେଉଛନ୍ତି ଜଣେ ଜୈନ ସନ୍ଥ। ଏହି ଜୈନ ସନ୍ଥ ଜଣକ ତାଙ୍କର ଜଣେ ୧୯ବର୍ଷୀୟା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ କରି ଏବେ ଜେଲରେ ଯାଇ ପହଞ୍ଚିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ଏବେ ଦୁଷ୍କର୍ମକାରୀ ସାଧୁଙ୍କ ତାଲିକାରେ ୪୯ ବର୍ଷୀୟ ଜୈନମୁନୀ ଶାନ୍ତିସାଗର ମହାରାଜଙ୍କ ନାମ ଯୋଡ଼ି ହୋଇ ଯାଇଛି। ଦୁଷ୍କର୍ମ ଅଭିଯୁକ୍ତ ଜୈନମୁନୀ ଏବେ ଗୁଜୁରାଟ୍‌ର ଲାଜପୋର ଜେଲରେ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜେଲରେ ଜୈନମୁନୀ ଶାନ୍ତିସାଗର କୌଣସି ଖାଦ୍ୟ ଗ୍ରହଣ କରି ନାହାଁନ୍ତି କିମ୍ବା ରାତି ସାରା ଶୋଇ ମଧ୍ୟ ନାହାଁନ୍ତି।

ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଆଶ୍ରମ ଭିତରେ ମନ୍ତ୍ର ଜପିବା ପାଇଁ ଅଟକାଇବା ସହିତ ବିଳମ୍ବିତ ରାତିରେ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜୈନମୁନୀ ଶାନ୍ତିସାଗର ମହାରାଜ। ଲାଜପୋରା ସେଣ୍ଟ୍ରାଲ ଜେଲରେ ଥିବା ଏହି ଜୈନମୁନୀ ଜଣକ ଜେଲର ଖାଦ୍ୟ ଖାଉ ନାହାଁନ୍ତି କିମ୍ବା ରାତିରେ ମଧ୍ୟ ଶୋଇ ନାହାଁନ୍ତି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଜୈନମୁନୀ ଶାନ୍ତିସାଗର ମହାରାଜଙ୍କ ଆଶ୍ରମକୁ ଜଣେ ୧୯ ବର୍ଷୀୟା ଯୁବତୀ ନିଜ ବାପା ମାଆଙ୍କ ସହିତ ଆସିଥିଲେ। ସେହି ରାତିରେ ମନ୍ତ୍ର ଜପିବା ପାଇଁ ଶାନ୍ତିସାଗର ମହାରାଜ ଯୁବତୀଙ୍କୁ ଆଶ୍ରମ ପରିସରରେ ଅଟକାଇ ଦେଇଥିଲେ। ଯୁବତୀଙ୍କ ବାପା ମାଆଙ୍କୁ ଘରକୁ ପଠାଇ ଦେଇ ଶାନ୍ତିି ସାଗର ଜପ କରିବା ଆଳରେ ବିଳମ୍ବିତ ରାତିରେ ଯୁବତୀଙ୍କୁ ବିଭିନ୍ନ ଭାବେ ଭୟଭୀତ କରି ଦୁଷ୍କର୍ମ କରିଥିଲେ। କଥା ବାହାରେ ପ୍ରଚାର କଲେ ଯୁବତୀ ଓ ତାଙ୍କ ବାପା ମାଆଙ୍କୁ ହତ୍ୟା କରାଇ ଦେବାକୁ ମଧ୍ୟ ଜୈନମୁନୀ ଶାନ୍ତିସାଗର ଧମକ ଦେଇଥିବା ଯୁବତୀ ଜଣକ ପୁଲିସ ଆଗରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ଜୈନମୁନୀ ଶାନ୍ତି ସାଗର ମହାରାଜଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି।
ସୂଚନାଯୋଗ୍ୟ ଯେ ଜୈନମୁନୀ ଦୀକ୍ଷା ନେବା ପୂବରୁ ଶାନ୍ତସାଗରଙ୍କ ପ୍ରକୃତ ନାମ ଥିଲା ଗିରିରାଜ ଶର୍ମା ଥିଲା। ତାଙ୍କ ବାପାଙ୍କର ଏକ ମିଠାଇ ଦୋକାନ ଥିଲା। ତେବେ ସେ ତାଙ୍କ ବାପାଙ୍କ ପାଖରେ ନ ରହି ମଧ୍ୟପ୍ରଦେଶର ଗୁନ୍ନାରେ ନିଜ ବଡ଼ବାପାଙ୍କ ସହିତ ରହୁଥିଲେ। ଜୈନମୁନୀ ଦୀକ୍ଷା ନେବା ପୂର୍ବରୁ ସେ ନୂଆ ଷ୍ଟାଇଲର ପୋଷକ, ମଡର୍ଣ୍ଣ ହେୟାର କଟିଂ ସହିତ ଜଣେ ରଙ୍ଗୀନ ମିଜାଜର ଯୁବକଭାବେ ସାଙ୍ଗସାଥୀ ମହଲରେ ପରିଚିିତ ଥିଲେ। ତେବେ ୨୨ ବର୍ଷ ତଳେ ସେ ଜଣେ ଜୈନମୁନୀଙ୍କ ସଂସ୍ପର୍ଶରେ ଆସିବା ସହିତ ତାଙ୍କ ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇ ଜୈନମୁନୀ ଦୀକ୍ଷା ଗ୍ରହଣ କରିଥିଲେ। ତା ପରଠାରୁ ତାଙ୍କ ଜୀବନର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ତେବେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରି ଘୃଣ୍ୟ କାର୍ଯ୍ୟ କରିବା ନେଇ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ସେ ବେଶ ନିିନ୍ଦିତ ହୋଇ ପଡ଼ିଛନ୍ତି। ତେଣୁ ଗିରଫ ହୋଇ ଲାଜପୋରା ଜେଲରେ ଥିବା ଜୈନମୁନୀ ଶାନ୍ତିସାଗରଙ୍କୁ ଗତକାଲି ରାତିରେ ଯତେବେଳେ ଖାଇବାକୁ ଦିଆଗଲା, ଖାଦ୍ୟରେ ପିଆଜ ରସୁଣ ପଡ଼ିଥିବାରୁ ସେ ତାହା ଗ୍ରହଣ କରିବେ ନାହିଁ ବୋଲି କହି ଫେରାଇ ଦେଇଥିଲେ।

ସମ୍ବନ୍ଧିତ ଖବର