ଜୟପୁର (ରାଜସ୍ଥାନ): ଭାରତ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ମେକ୍ସିକୋର ଦୁଇଜଣ ମହିଳା ଅତିଥିଙ୍କୁ ଅଶାଳୀନ ଆଚରଣ ପ୍ରଦର୍ଶନ ସହ ଯୌନ ଉତ୍ପୀଡ଼ନ କରିବାକୁ ଉଦ୍ୟମ କରିବା ଅଭିଯୋଗରେ ଜୟପୁର ପୁଲିସ୍ ଜୟପୁରର ଏକ ଖ୍ୟାତନାମା ପଞ୍ଚତାରାକା ହୋଟେଲର ମ୍ୟାନେଜରଙ୍କୁ ଗତ ବୁଧବାର ରାତିରେ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ୍ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମେକ୍ସିକୋରୁ ଭାରତ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ମହିଳା ଦେଶର ବିଭିନ୍ନ ସ୍ଥାନ ଭ୍ରମଣ କରିସାରିବା ପରେ ଗତ ମଙ୍ଗଳବାର ଦିନ ଆସି ଜୟପୁରର ସଂପୃକ୍ତ ପଞ୍ଚତାରକା ହୋଟେଲରେ ଆସି ରହିଥିଲେ। ତେବେ, ବିଦେଶୀ ମହିଳା ଦୁଇଜଣ ଗତ ବୁଧବାର ରାତିରେ ସେମାନଙ୍କ ରୁମ୍ରେ ଥିବା ବେଳେ ବିଳମ୍ବିତ ରାତିରେ ସଂପୃକ୍ତ ହୋଟେଲର ମ୍ୟାନେଜର ୪୦ ବର୍ଷ ବୟସ୍କ ଋଷିରାଜ ସିଂହ ସେମାନଙ୍କ କଠୋରି ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ଅଶାଳୀନ ଆଚରଣ ପ୍ରଦର୍ଶନ ସହ ଯୌନ ଉତ୍ପୀଡ଼ନ କରିବାକୁ ଉଦ୍ୟମ କରିଥିଲେ। ବିଦେଶୀ ମହିଳା ଦୁଇଜଣ ଏହି ଘଟଣାର ପ୍ରତିବାଦ କରିବା ସହ ଘଟଣା ସଂପର୍କରେ ବିଧ୍ୟାପୁରୀ ଥାନାରେ ଯାଇ ଲିଖିତ ଅଭିଯୋଗ କରିଥିଲେ। ମହିଳାଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୁଲିସ୍ ସଂପୃକ୍ତ ହୋଟେଲକୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ଆଗତ ଅଭିଯୋଗରେ ସତ୍ୟତା ରହିଥିବା ଜାଣିବା ପରେ ଆଜି (ଗୁରୁବାର) ସଂପୃକ୍ତ ହୋଟେଲର ମ୍ୟାନେଜର ଋଷିରାଜ ସିଂହଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୩୫୪, ୩୫୪-ଏ ଓ ୪୫୨ ଦଫାରେ ମାମଲା ଆଗତ କରି ତାଙ୍କୁ ଗିରଫ କରିଥିବା ଜୟପୁର ସାଉଥ୍ର ଡିସିପି ବିକାଶ ପାଠକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।