ଜାମତାରା ଗ୍ୟାଙ୍ଗ: ପାଠ ନବମ; ୨୦ ରାଜ୍ୟର ପୁଲିସକୁ ଚକମା ଦେଇ ଲକ୍ଷଲକ୍ଷ ଲୁଟୁଥିଲେ

ଭୁବନେଶ୍ବର: ଚର୍ଚ୍ଚାରେ ଝାଡ଼ଖଣ୍ଡର ଜାମତାରା ଗ୍ୟାଙ୍ଗ। ଗୋଟେ କି ଦୁଇଟି ନୁହେଁ ୨୦ଟି ରାଜ୍ୟର ପୁଲିସକୁ ଚକମା ଦେବାରେ ସଫଳ ହୋଇଥିବା ଏହି ଗ୍ୟାଙ୍ଗର ତିନି ସଦସ୍ୟ ଆଜି ଧରାପଡ଼ିଛନ୍ତି । ୨୦ଟି ରାଜ୍ୟର ପୁଲିସକୁ ଚକମା ଦେଇଥିବା ଏହି ଗ୍ୟାଙ୍ଗ ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚର ସାଇବର ଟିମ୍ ହାତରେ ଧରାପଡ଼ିଛନ୍ତି ।  କ୍ରାଇମବ୍ରାଞ୍ଚ ଗିରଫ କରିଥିବା ୩ ଜଣ ଅଭିଯୁକ୍ତମାନେ ହେଲେ ପ୍ରଧୂନ କୁମାର ମଣ୍ଡଲ(୨୦), କ୍ରିଷ୍ଣା କୁମାର ମଣ୍ଡଲ(୧୯) ଓ ଚେତଲାଲ ମଣ୍ଡଲ(୨୮)। ପ୍ରଧୂନ ଓ କ୍ରିଷ୍ଣା ଗିରିଡ଼ିହି ଝାଡ଼ଖଣ୍ଡ ଓ ଚେତଲାଲ ଧନବାଦର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ପ୍ରଧୂନ ଓ ଚେତଲାଲ ନବମ ପର୍ଯ୍ୟନ୍ତ ପଢ଼ିଥିବା ବେଳେ କ୍ରିଷ୍ଣା ପ୍ଲସ-୩ ପର୍ଯ୍ୟନ୍ତ ପାଠ ପଢ଼ିଥିବା ନେଇ ସୂଚନା ମିଳିଛି।

କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗିରଫ ୩ ଜଣ ଅଭିଯୁକ୍ତ ୨୦ଟି ରାଜ୍ୟକୁ ଠକିବା ପରେ ଓଡ଼ିଶା ଆସିିଥିଲେ। ଡିସେମ୍ବର ୨୮ରେ ଭୁବନେଶ୍ବରର ରସୁଲଗଡ଼ଠାରେ ଘର ଭଡ଼ା ନେଇ ସେମାନେ ଲୋକଙ୍କୁ ଠକିବା ଯୋଜନା ଆରମ୍ଭ କରିଥିଲେ। ଭୁବନେଶ୍ୱରରେ ହବ୍ କରି ଜାମତାରା ଗ୍ୟାଙ୍ଗ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ମସୁଧା କରିଥିଲା। ଏବେ ୩ଜଣଙ୍କୁ ଗିରଫ କରାଯାଇଥିଲେ ବି ଅନ୍ୟ କିଛି ସଦସ୍ୟ ଖସିଯାଇଛନ୍ତି। ଗିରଫ ୩ଜଣଙ୍କଠାରୁ ୧୧ଟି ମୋବାଇଲ, ୨ଟି ଲାପଟପ, ୩୩ଟି ସିମ୍, ୨ଟି ଡେବିଟ କାର୍ଡ ଓ ଗୋଟେ ଟ୍ୟାବ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ୩୩ଟି ସିମ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ମୋବାଇଲ ମଧ୍ୟରେ ଅନେକ ଦାମୀ ମୋବାଇଲ ଥିବା ବେଳେ ଏହି ଠକମାନେ ଲୋକଙ୍କୁ ଠକିବା ପାଇଁ ପଶ୍ଚିମବଙ୍ଗରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣୁଥିଲେ। ବ୍ୟାଙ୍କ ଗ୍ରାହକଙ୍କ ଡାଟା ଆଣି ବଲକ ମେସେଜ ପଠାଇ କେୱାଇସି ଫର୍ମ ଅପଡେଟ କରିବା ନାଁରେ ଏହି ସାଇବର ଠକ ଲୋକଙ୍କୁ ଠକୁଥିଲେ । ବିଶେଷକରି ପେଟିଏମ, ଗୁଗୁଲ ପେ’, ଫୋନ ପେ’ ଓ ଗିଫ୍ଟ କାର୍ଡ ଜରିଆରେ ଏମାନେ ଟଙ୍କା ନେଉଥିଲେ । ଏମାନେ ୨୦ ଟି ରାଜ୍ୟରେ ୩୩ ଟି ସିମ ଦ୍ୱାରା ୧୭୧ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନସିଆରପି ପୋର୍ଟାଲ ମାଧ୍ୟମରେ ପୁଲିସ ଏହି ଠକମାନଙ୍କ ବିଷୟରେ ଜାଣିବାକୁ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ଓଡିଶା ସାଇବର ହେଲ୍ପ ଡେସ୍କ ଗତ ୬ମାସ ଭିତରେ ୫୪ ଲକ୍ଷ ଟଙ୍କା ରିକଭର ହୋଇଥିବା ବେଳେ ୨୩ ଲକ୍ଷ ଟଙ୍କା ବ୍ଲକ କରାଯାଇଛି। ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ ମସିହାରେ ୨୦୮୫ଟି ସାଇବର କ୍ରାଇମ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର