ଛେଚା ଖାଇଲା ପତ୍ନୀକୁ ଛାଡ଼ି ପ୍ରେମିକା ସହ ଫେରାର ହେଉଥିବା ଯୁବକ

ଜମୁଇ(ବିହାର): ଛେଚା ଖାଇଲା ପତ୍ନୀକୁ ଛାଡ଼ି ପ୍ରେମିକା ସହ ଫେରାର ହେଉଥିବା ଯୁବକ। ବିହାରର ଜମୁଇରେ ଘଟିଛି ଏଭଳି ଘଟଣା। ଦୁଇ ରାଜ୍ୟରେ ଦୁଇଜଣ ପତ୍ନୀ ରଖିବାର ସ୍ୱପ୍ନ ଦେଖିବା ଜମୁଇର ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। କୁହାଯାଉଛି ଯେ ଯୁବକଜଣକ ତାଙ୍କ ପ୍ରେମିକା ସହିତ ଭୋପାଳ ଖସିଯିବାକୁ ଚାହୁଁଥିଲେ। କିନ୍ତୁ ପ୍ରେମିକାଙ୍କ ସମ୍ପର୍କୀୟମାନେ ତାଙ୍କୁ ରେଳ ଷ୍ଟେସନରେ ଧରି ମାଡ ମାରିବା ସହ ପୁଲିସ ଷ୍ଟେସନକୁ ନେଇଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଝାଝା ପୁଲିସ ଷ୍ଟେସନ ଅଧିନରେ ରହୁଥିବା ବିନୋଦ ଦୁଇ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ତାଙ୍କର ଏକ ଝିଅ ମଧ୍ୟ ଅଛି। ଗତ ବର୍ଷ ଏକ ମେଳାରେ ସେ ଜଣେ ଯୁବତୀଙ୍କୁ ଭେଟିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ​ଉଭୟ ମୋବାଇଲ୍ ନମ୍ବର ସେୟାର କରି କଥା ହେବା ଆରମ୍ଭ କରିଥିଲେ। କିଛି ଦିନ କଥା ହେବା ପରେ ବିନୋଦ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ଦୁହେଁ ଫେରାର ହେବାକୁ ଯୋଜନା କରିଥିଲେ। ବିନୋଦ ବିବାହିତ ବୋଲି ଯୁବତୀ ଜାଣିଥିଲେ ବି ପ୍ରେମରେ ଅନ୍ଧ ହୋଇ ସେ ତାଙ୍କ ସହ ରହିବାକୁ ଚାହୁଁଥିଲେ। ବିନୋଦ ଯୁବତୀଙ୍କୁ କହିଥିଲେ ଯେ, ବିବାହ ପରେ ସେ ପ୍ରଥମେ ତାଙ୍କୁ ଭୋପାଳରେ ରଖିବେ ଏବଂ କିଛି ବର୍ଷ ପରେ ଜମୁଇ ଫେରି ପ୍ରଥମ ପତ୍ନୀଙ୍କ ସହ ଦୁହେଁ ରହିବେ। କିନ୍ତୁ ଏବିଷୟରେ ଯୁବତୀଙ୍କ ପରିବାର ଲୋକଙ୍କୁ ଜଣାପଡ଼ିବା ପରେ ସେମାନେ ରେଳ ଷ୍ଟେସନରେ ଉଭୟଙ୍କୁ କାବୁ କରି ପୁଲିସ ହାତରେ ଦେଇଛନ୍ତି।

ସମ୍ବନ୍ଧିତ ଖବର