ଜନ୍ମଜେୟର ୩ ସହଯୋଗୀ ଜେଲ୍‌ ଗଲେ

ଅପହରଣ, ପ୍ରାଣାନ୍ତକ ଆକ୍ରମଣ ଓ ଏନ୍‌କାଉଣ୍ଟର ଘଟଣା

ଭୁବନେଶ୍ୱର: ବଡ଼ଗଡ଼ ଥାନା ଅଧୀନ ମେଘେଶ୍ୱର କଲୋନିର ଚିଣ୍ଟୁ ମହାନ୍ତିଙ୍କୁ ଅପହରଣ, ପ୍ରାଣାନ୍ତକ ଆକ୍ରମଣ ଓ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଦୁଇ ସମ୍ପର୍କୀୟଙ୍କ ଉପରେ ହୋଇଥିବା ରକ୍ତାକ୍ତ ଆକ୍ରମଣ ଘଟଣାରେ ପୁଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆଲୋକ ଓଝା, ଗଣେଷ ବେହେରା ଓ ଜଗଦୀଶ ଆଚାର୍ଯ୍ୟ। ସମସ୍ତଙ୍କ ଘର ଲକ୍ଷ୍ମୀସାଗରରେ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୫ଟି ଖଣ୍ଡା, ଦୁଇଟି ଫାର୍ସା ଓ ଅପହୃତରେ ବ୍ୟବହୃତ ବାଲୋରୋ ଗାଡି ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପକ୍ଷରେ ସ୍ପେସାଲ୍‌ ସ୍କ୍ଵାଡ ପୁଲିସ ଗୁଳିରେ ଘାଇଲା ହୋଇଥିବା ଜନ୍ମଜେୟ ରାଉତର ଚିକିତ୍ସା ପାଇଁ ପୁଲିସ ତାକୁ କଟକ ବଡ଼ମେଡିକାଲ୍‌ ପଠାଇଛି।

ଡିସିପି ସତ୍ୟବ୍ରତ ଭୋଇଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ସଂଧ୍ୟା ପାଖାପାଖି ୫ଟା ୪୫ ମିନିଟରେ ବଡ଼ଗଡ଼ କେନାଲ ବନ୍ଧରୁ ଜନ୍ମଜେୟ ଓ ତାଙ୍କ ସହଯୋଗୀମାନେ ଏକ ବାଲେରୋ ଯୋଗେ ଚିଣ୍ଟୁଙ୍କୁ ଅପହରଣ କରି ନେଇଥିଲେ। ଏ ନେଇ ଜନ୍ମଜେୟଙ୍କ ଦାଦା ଓ ଭାଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଡିସିପି ତୁରନ୍ତ ଘଟଣାର ତଦନ୍ତ ପାଇଁ ସ୍ପେସାଲ୍‌ ସ୍କ୍ଵାଡ୍‌କୁ ଦାୟିତ୍ୱ ଦେଇଥିଲେ। ସ୍ପେସାଲ୍‌ ସ୍କ୍ଵାଡ୍‌ ଏସିପି ସଂଜୀବ ଶତପଥୀ, ଚିଣ୍ଟଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ କରି ଅପହର୍ତାମାନଙ୍କ ପିଛା କରିଥିଲେ। ଅପହର୍ତାମାନେ ଚିଣ୍ଟୁଙ୍କୁ ପୁରୀ ନେଇ ଯାଇଥିଲେ। ରାତି ପ୍ରାୟ ୯ଟା ୪୫ବେଳେ ସେମାନେ ପୁଣି ଥରେ ଭୁବନେଶ୍ୱର ଫେରି ଆସିଥିଲେ। ଏହି ସମୟରେ ଚିଣ୍ଟୁଙ୍କ ଦାଦା ବିଷ୍ଣୁ ମହାନ୍ତି ଓ ପ୍ରତୀମ ପଟ୍ଟନାୟକ ଅପହର୍ତାଙ୍କ ବୋଲେରୋକୁ ଦେଖି ଦେଇଥିଲେ। ସେମାନେ ବୋଲେରୋ ନିକଟକୁ ଚାଲି ଆସିବାରୁ ସେଥିରୁ ଆଲୋକ,ଗଣେଷ,ଜଗଦୀଶ ଓ ଜନ୍ମଜେୟ ବାହାରକୁ ବାହାରି ଆସି ଖଣ୍ଡା ଓ ଫାର୍ସାରେ ବିଷ୍ଣୁ ଓ ପ୍ରୀତମଙ୍କ ଚୋଟ ପରେ ଚୋଟ ଦେଇଥିଲେ। ଏହି ଘଟଣା ଲକ୍ଷ୍ମୀସାଗର ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ଖବର ପାଇ ବଡ଼ଗଡ଼, ଲକ୍ଷ୍ମୀସାଗର ପିସିଆର ଭ୍ୟାନ୍‌, ବଡ଼ଗଡ଼ ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ, ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଗାଡିକୁ ଦେଖି ସେମାନେ ସେଠାରୁ ଭୁବନେଶ୍ୱର-ପୁରୀ ବାଇପାସ ରାସ୍ତାରେ ଖସି ଯାଇଥିଲେ। କିନ୍ତୁ ଚିଣ୍ଟୁଙ୍କୁ ସେଠାରେ ସେମାନେ ଛାଡି ପଳାଇଥିଲେ।

ଆଗୁଆ ଖବର ପାଇ ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ପାଣ୍ଡରା ନିକଟରେ ଜଗି ରହିଥିଲା। ପୁଲିସକୁ ଦେଖି ଜନ୍ମଜେୟ ବାଲେରୋରୁ ଓହ୍ଲାଇ ସିଧା ଗୁଳି ଚଳାଇବା ଆରମ୍ଭ କରିଥିଲା। ବାଧ୍ୟ ହୋଇ ସ୍ପେସାଲ୍‌ ସ୍କ୍ଵାଡ୍‌ ପୁଲିସ ଜନ୍ମଜେୟଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳିଟି ଜନ୍ମଜେୟଙ୍କ ଆଣ୍ଠୁରେ ବାଜି ଥିଲା। ପୁଲିସ ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତି କରିଛି। ଜନ୍ମଜେୟଙ୍କ ନାଁରେ ପୂର୍ବରୁ ଲକ୍ଷ୍ମୀସାଗର ଥାନାରେ ଏକାଧିକ ମାମଲା ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଭାଇଗିରିରୁ ଅପହରଣ ଓ ଆକ୍ରମଣ ହୋଇଛି ବୋଲି ବଡ଼ଗଡ଼ ଥାନା ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ କହିଛନ୍ତି। ଚିଣ୍ଟୁ ଓ ଜନ୍ମଜେୟଙ୍କ ଗୋଷ୍ଠୀ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ଚିଣ୍ଟୁ କିଛି ଦିନ ତଳେ ଜନ୍ମଜେୟଙ୍କ ଲକ୍ଷ୍ମୀସାଗର ଘରକୁ ଯାଇ ଧମକ ଚମକ ଦେଇ ଆସିଥିଲା। ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଜନ୍ମଜେୟ ଏଭଳି କାଣ୍ଡ କରିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ବଡ଼ଗଡ଼ ଥାନା ପୁଲିସ ଅପହରଣ ମାମଲା ରୁଜୁ କରିଥିବାବେଳେ ଲକ୍ଷ୍ମୀସାଗର ଥାନା ପୁଲିସ ହତ୍ୟା ଉଦ୍ୟମ, ମଞ୍ଚେଶ୍ୱର ଥାନା ପୁଲିସ ହତ୍ୟା ଉଦ୍ୟମ, ୨୫/୨୭ ଆର୍ମସ ଆକ୍ଟରେ ୩ଟି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର