ପରିବାର ଲୋକଙ୍କୁ ମୃତ ଖବର ଦେବେ ନାହିଁ ବୋଲି ୨୦ଜଣ ରୋଗୀଙ୍କୁ ବିଷ ଦେଇ ହତ୍ୟା କରିଥିଲେ ନର୍ସ

ୟୁକୁହାମ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଇଥାଏ। ଡାକ୍ତରଙ୍କୁ ସାହାଯ୍ୟ ଓ ରୋଗୀଙ୍କ ଯତ୍ନ ନେଉଥିବା ନର୍ସଙ୍କୁ ବି ଏକ ସମ୍ମାନଜନକ ସ୍ଥାନରେ ରୋଗୀ ଓ ସେମାନଙ୍କ ପରିବାରବର୍ଗ ଦେଖି ଥାଆନ୍ତି। କିନ୍ତୁ ଜାପାନରେ ଜଣେ ନର୍ସ ଏଭଳି ଏକ କାମ କରିଛନ୍ତି ଯାହାକୁ ଶୁଣିଲେ ଆପଣ ହତବାକ୍‌ ହୋଇଯିବେ। କାରଣ ଜଣେ ନର୍ସ ୨୦ଜଣ ରୋଗୀଙ୍କୁ ବିଷ ଦେଇ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଏହି ଅଭିଯୋଗରେ ୩୧ବର୍ଷୀୟ ନର୍ସଙ୍କୁ ଗିରଫ ମଧ୍ୟ କରି ନେଇଛି।

ସୂଚନାଯୋଗ୍ୟ, ଜାପାନର ଅୟୁମି କୁବୁକି ନାମ୍ନୀ ନର୍ସଙ୍କୁ ପୁଲିସ ୮୮ବର୍ଷୀୟ ମୋଜୋ ନିଶିକାବା ନାମକ ରୋଗୀଙ୍କ ରହସ୍ୟଜନକ ପରିସ୍ଥିତିରେ ମୃତ୍ୟୁକୁ ନେଇ ଗିରଫ କରିଛି। ମୋଜୋଙ୍କ ରକ୍ତରେ  ଆଣ୍ଟିସେପଟିକ୍‌ର ଉଚ୍ଚ ସାନ୍ଦ୍ରତା ଥିବା ମିଳିଥିଲା। ଏହି ହତ୍ୟା ୨୦୧୬ରେ ଟୋକିଓର ଏକ ହସ୍‌ପିଟାଲରେ ଘଟିଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅୟୁମି କୁବୁକି ମୋଜୋଙ୍କୁ ବିଷାକ୍ତ ପଦାର୍ଥ ଦେଇଥିବା କଥା ସ୍ୱୀକାର ମଧ୍ୟ କରିଛନ୍ତି। ପୁଲିସ ଜେରା ପରେ ଅୟୁମି ନିଜର ଦୋଷ ମାନି ଯାହା କହିଥିଲେ, ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ କହିଥିଲେ ଏପରି ସେ ପାଖାପାଖି ୨୦ଜଣ ରୋଗୀଙ୍କୁ ଆଣ୍ଟିସେପଟିକ୍‌ କେମିକାଲ୍ ଦେଇ ହତ୍ୟା କରିଥିଲେ। ସେ ନିଜ ସିଫ୍ଟରେ କୌଣସି ରୋଗୀଙ୍କ ମୃତ୍ୟୁ ଦେଖିବାକୁ ଚାହୁଁ ନ ଥିଲେ କି ମୃତ୍ୟୁ ଖବର ସେମାନଙ୍କ ପରିବାର ଲୋକଙ୍କୁ ଦେବାକୁ ସାହାସ ବି ନ ଥିଲା ତାଙ୍କର। ସେଥିପାଇଁ ସେ ରୋଗୀଙ୍କ ଡ୍ରିପ୍‌ରେ ଇନ୍‌ଜେକ୍‌ସନ୍‌ ଜରିଆରେ କୀଟନାଶକ ମିଶାଇ ଦେଉଥିଲେ। ନର୍ସଙ୍କ କାହାରି ସହିତ କିଛି ଶତ୍ରୁତା ବି ନଥିଲା ବୋଲି କହିଥିଲେ।

ଅୟୁମି ଏକ ରୋଗୀଙ୍କ ସମ୍ପର୍କୀୟଙ୍କୁ କହିଥିଲେ, ଯଦି ତାଙ୍କ ସିଫ୍ଟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ, ତାଙ୍କୁ ଭାରି ଦୁଃଖ ଲାଗିଥାଏ। ପୁଲିସ ସୂତ୍ରରୁ ପ୍ରକାଶ, ୮୮ବର୍ଷୀୟ ରୋଗୀ କୁବୁକି ମୋଜୋଙ୍କୁ ଦ୍ୱିପହର ୩ଟା ଓ ସନ୍ଧ୍ୟା ୪.୫୫ ମଧ୍ୟରେ ବିଷ ଦିଆଯାଇଥିଲା। ସେତେବେଳେ ନର୍ସ କୁବୁକିଙ୍କ ସିଫ୍ଟ ଆରମ୍ଭ ହୋଇଯାଇଥିଲା। ଏହାପରେ ରୋଗୀଙ୍କ ଶରୀର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ସନ୍ଧ୍ୟା ୭ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହି ସିଫ୍ଟରେ କୁବୁକି ଥିବା ହେତୁ ସେ ରୋଗୀଙ୍କ ମୃତ୍ୟୁ ଖବର ତାଙ୍କ ପରିବାରଲୋକଙ୍କୁ ଦେଇଥିଲେ। ଏହାର ଆଗାମୀ ଦୁଇଦିନ ଅନ୍ୟ ଦୁଇ ରୋଗୀଙ୍କ ମୃତ୍ୟୁ ବି ଅବିକଳ ମୋଜୋ ନିଶିକାବାଙ୍କ ଭଳି ହୋଇଥିଲା। ପୁଲିସ ଅଭିଯୁକ୍ତ ନର୍ସଙ୍କ ପୋଷାକରେ ବି ଆଣ୍ଟିସେପଟିକ୍‌ କେମିକାଲ ଲାଗିଥିବା ଦେଖିବାକୁ ପାଇଥିଲା।

ସମ୍ବନ୍ଧିତ ଖବର