ରିବା: ପ୍ରେମିକା ସହ ବସିଥିବା ବେଳେ ଫଟୋ ଉଠାଇବାରୁ ଗୁଳି ମାରିଲେ ଯବାନ। ମଧ୍ୟପ୍ରଦେଶର ରିବା ଜିଲ୍ଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ମୋବାଇଲରେ ଭିଡିଓ ରେକର୍ଡ କରିବା ଏବଂ ଫଟୋ ଉଠାଇବାରୁ ସେନା ଯବାନ ଜଣେ ଯୁବକଙ୍କୁ ଗୁଳି କରିଥିଲେ। ଏହି ଘଟଣା ପରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାଁ ବ୍ରିଜଭୂଷଣ ତିୱାରୀ ବୋଲି ଜଣାପଡ଼ିଛି।
ରିବା ଜିଲ୍ଲାର ମନଗୱା ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି ଏହି ଘଟଣା। କୁହାଯାଉଛି ଯେ ଛୁଟିରେ ଆସିଥିବା ବ୍ରିଜଭୂଷଣ ତାଙ୍କ ପ୍ରେମିକାଙ୍କ ସହ ମନ୍ଦିରରେ ବସିଥିଲେ। ଏହା ଦେଖି ଗାଁର ଜଣେ ଯୁବକ ପ୍ରେମୀ ଯୁଗଳଙ୍କ ଭିଡିଓ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ବ୍ରିଜଭୂଷଣ ଏହାର ବିରୋଧ କରିବା ପରେ ଉଭୟଙ୍କ ମଧ୍ୟ ବିବାଦ ଆରମ୍ଭ ହୋଇଥିଲା। ବିବାଦ ବଢ଼ିବାରୁ ଏଥିରେ ରାଗିଯାଇ ଯୁବକଙ୍କ ଉପରକୁ ଗୁଳି ଚଳାଇଥିଲେ ବ୍ରିଜଭୂଷଣ । ଗୁଳି ମାରିବା ପରେ ଅଭିଯୁକ୍ତ ନିଜ ପ୍ରେମିକାକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ।
ଏହା ପରେ ଆଖପାଖର ଲୋକମାନେ ଆହତ ଯୁବକ ବ୍ରିଜେନ୍ଦ୍ର କୋରିଙ୍କୁ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁଳିଟି ଯୁବକଙ୍କ ମୁଣ୍ଡରେ ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ସଞ୍ଜୟ ଗାନ୍ଧୀ ଡାକ୍ତରଖାନାର ଡାକ୍ତରମାନେ ଯୁବକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ବ୍ରିଜଭୂଷଣକୁ ଗିରଫ କରିଛି।