ମଝି ଆକାଶରେ ବିମାନରେ ସେଲ୍‌ଫି ଉଠାଇବା ମହଙ୍ଗା ପଡ଼ିଲା: ୪ ପାଇଲଟ୍‌ଙ୍କ ଉଡାଣ ଅନୁମତି ବାତିଲ

ନୂଆଦିଲ୍ଲୀ: ଉଡନ୍ତା ବିମାନରେ ସେଲ୍‌ଫି ନେବା ମହଙ୍ଗା ପଡ଼ିଛି। ଜେଟ୍‌ ଏୟାରେଓ୍ଵଜ୍‌ ୪ଜଣ ପାଇଲଟଙ୍କୁ ଉଡାଣ କରିବାକୁ ନିଷେଧ କରିଛି। ଯଦିଓ ଏହି ଘଟଣା ଏକ ପ୍ରଶିକ୍ଷଣ ବିମାନରେ ଘଟିଛି, କିନ୍ତୁ ଜେଟ କର୍ତ୍ତୁପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିମାନ ଉଡାଣ କରୁଥିବା ସମୟରେ ଯେଉଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସରଣ କରାଯାଏ, ସେ ଅନୁସାରେ ସେଲଫି ନେବା ଅନୁମୋଦିତ ନୁହେଁ।

ଲେହରୁ ଦିଲ୍ଲୀ ଆସୁଥିବା ଜେଟ୍‌ ଏୟାରେଓ୍ଵଜ୍‌ର ଏହି ବିମାନରେ କୌଣସି ଯାତ୍ରୀ ନ ଥିଲେ କେବଳ ପ୍ରଶିକ୍ଷଣ ନେଉଥିବା ପାଇଲଟ୍‌ ଥିଲେ। ଏହି ଘଟଣାରେ ଜଣେ ବରିଷ୍ଠ ପ୍ରଶିକ୍ଷକ ଓ ତିନିଜଣ ଟ୍ରେନି ପାଇଲଟଙ୍କ ଉଡାଣ ଅନୁମତି ରଦ୍ଦ କରାଯାଇଛି। ଜେଟ ପକ୍ଷରୁ ଏକ ଆଭ୍ୟନ୍ତରୀଣ ଯାଞ୍ଚ ପରେ ଏହି ନଷ୍ପତ୍ତି ନିଆଯାଇଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ୨୦୧୪ ମସିହାରେ ମଧ୍ୟ ଜେଟ୍‌ ସଲିଲ୍‌ ଆରୋରା ନାମକ ଜଣେ ପାଇଲଟ୍‌ଙ୍କର ସମାନ କାରଣ ଯୋଗୁଁ ଉଡାଣ ଅନୁମତି ବାତିଲ କରିଥିଲା। ସେ କକ୍‌ପିଟ୍‌ ଭିତରେ ଏୟାର ହୋଷ୍ଟେସ୍‌ଙ୍କ ସହ ଫଟୋ ଉଠାଇ ଫେସ୍‌ବୁକ୍‌ରେ ଅପଲୋଡ କରିଥିଲେ। ଏଥିସହିତ ବିମାନରେ କକ୍‌ପିଟରେ ଜଣେ ମହିଳା ଯାତ୍ରୀଙ୍କ ସହ ମଧ୍ୟ ଫଟୋ ଉଠାଇଥିଲେ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ସୁରକ୍ଷା ଗାଇଡ୍‌ଲାଇନ୍‌ ଅନୁସାରେ ବିମାନର କକ୍‌ପିଟ୍‌ରେ ପାଇଲଟ୍‌, ଇଞ୍ଜିନିୟରଙ୍କ ବ୍ୟତୀତ ଅନ୍ୟ କେହି ପ୍ରବେଶ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର