ଝାଲାୱାର: ରାଜସ୍ଥାନର ଝାଲାୱାର ଜିଲ୍ଲାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।  ଏଠାରେ ଜଣେ ନବବିବାହିତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ଲାଗିଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା କି କ୍ରୋଧିତ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଜିଭ ଛିଣ୍ଡାଇ ଦେଇଥିଲେ।  ଆହତ ସ୍ୱାମୀଙ୍କୁ ପରିବାରଲୋକ ରକ୍ତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବାପରେ ଉନ୍ନତ ଚିକିତ୍ସା ପାେଇଁ ଝାଲାୱାଡ଼କୁ ପଠାଇ ଦିଆଯାଇଛି।

Advertisment

ପୁଲିସର ସୂଚନା ଅନୁଯାୟୀ, ଝାଲାୱାର ଜିଲ୍ଲାର ବାକାନି ସହରର ରେପଲା ରୋଡସ୍ଥିତ ଜ୍ୟୋତି ନଗରର ବାସିନ୍ଦା କହ୍ନୈୟାଲାଲ ସୈନଙ୍କ ବିବାହ ଦେଢ଼ ମାସ ପୂର୍ବେ ଝାଲାୱାଡର ସୁନେଲ ଥାନା ଅଞ୍ଚଳର କାଦର ନଗରର ବାସିନ୍ଦା ରବୀନା ସୈନଙ୍କ ସହ ହୋଇଥିଲା। 

ଗତଗୁରୁବାର ଅପରାହ୍ନରେ ରବୀନାଙ୍କ ବାପା ଝିଅକୁ ଶ୍ୱଶୁର ଘରେ ଛାଡି ଘରକୁ ଫେରି ଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କ୍ରୋଧିତ ହୋଇ ସ୍ତ୍ରୀ ରବିନା ନିଜ ଦାନ୍ତରେ ସ୍ୱାମୀ କହ୍ନୈୟାଲାଲଙ୍କ ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଥିଲେ।

ଏହାପରେ କହ୍ନୈୟାଲାଲଙ୍କ ରକ୍ତାକ୍ତ ଅବସ୍ଥା ଦେଖି ପରିବାର ଲୋକ ତୁରନ୍ତ ପୁଅକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। କହ୍ନୈୟାଲାଲଙ୍କ ଅବସ୍ଥା ଗୁରୁତର ଥିବା ଦେଖି ଡ‌ାକ୍ତର ତାଙ୍କୁ ଝାଲାୱାରକୁ ରେଫର କରି ଦେଇଥିଲେ।

ଏହି ଘଟଣାପରେ ରବୀନା ଘର ଭିତର ପଶି କବାଟ ଦେଇ ଜୀବନ ହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରିବାରସଦସ୍ୟମାନେ ରବୀନାଙ୍କୁ ଠିକ ସମୟରେ ଉଦ୍ଧାର କରି ନେଇଥିଲେ। ତେବେ କେଉଁ କାରଣରୁ ନବଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା ତାହାର କାରଣ ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା।