ଝାରପଡ଼ାରେ ସିରିଜ୍‌ ବୋମାମାଡ଼ ଘଟଣା: ଧରାପଡ଼ିଲେ ୫ ଅଭିଯୁକ୍ତ

ପରିତ୍ୟକ୍ତ ଘରୁ ୩୨ ବୋମା ଜବତ, ମାଷ୍ଟରମାଇଣ୍ଡ୍‌କୁ ଖୋଜା ଚାଲିଛି

ଭୁବନେଶ୍ୱର: ପ୍ରାୟ ଅଢ଼େଇ ମାସ ତଳେ ଝାରପଡ଼ା ଦୋଳମଣ୍ଡପ ନିକଟ ଝାରପଡ଼ା ଉନ୍ନୟନ ପରିଷଦର ସଂପାଦକ ସଞ୍ଜୀବ ହରିଚନ୍ଦନଙ୍କ ଘରକୁ ସିରିଜ୍‌ ବୋମା ମାଡ଼ ଘଟଣାରେ ଆଜି କମିସନରେଟ୍‌ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଲକ୍ଷ୍ମୀସାଗର ଥାନା ପୁଲିସ ଓ ସ୍ପେସାଲ ସ୍କ୍ଵାଡ୍‌ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ସଂପୃକ୍ତ ୫ ଜଣ ଯୁବକଙ୍କୁ ଗିରଫ କରିଛି। କେବଳ ସେତିକି ନୁହେଁ, ଆଜି ପୁଲିସ ପୁରୀ ବାଇପାସ୍‌ ରାସ୍ତାର ମଙ୍ଗରାଜ ପଏଣ୍ଟ ନାମକ ଏକ ଷ୍ଟିଲ୍‌ ଫାବ୍ରିକେସନ ୟୁନିଟ୍‌ ପରିସରରେ ଏକ ପରିତ୍ୟକ୍ତ ଘରେ ଏହି ଯୁବକମାନେ ଲୁଚାଇ ରଖିଥିବା ୩୨ଟି ହାତଭିଡ଼ା ବୋମା ଜବତ କରିବା ପରେ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ହାତରେ ଧରା ପଡ଼ିଥିବା ଯୁବକମାନେ ହେଲେ କଟକ ଜିଲ୍ଲା ଆଠଗଡ଼ ଥାନା ଅଧୀନ ଲକ୍ଷ୍ମୀନାରାୟଣପୁର  ଅଞ୍ଚଳର ସୁବାଶିଷ ସାହାଣୀ ଓରଫ ଲୁନିଆ ଓରଫ ମୁନା (୩୦), ଦେବରଞ୍ଜନ ନାଏକ ଓରଫ ଶ୍ରୀକାନ୍ତ ଓରଫ ଦେବ(୨୭), ସୋଲଗାଡ଼ିଆ ଅଞ୍ଚଳର ସିପୁନ୍‌ କୁମାର କବି ଓରଫ ସିଲୁ(୨୮), ପୁରୀ ଜିଲ୍ଲା ବାସେଳିସାହି ଅଞ୍ଚଳର ଜ୍ୟୋତିପ୍ରକାଶ ମହାନ୍ତି ଓରଫ ସୋଲି(୨୮) ଓ ଢେଙ୍କାନାଳ ଜିଲ୍ଲା ମଣିପୁର ଅଞ୍ଚଳର ପବନ ନାଏକ(୩୬)।  ଏ ସମସ୍ତଙ୍କ ନାମରେ ଅନୁଗୁଳ, କଟକ, ଭୁବନେଶ୍ୱରର ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ବନ୍ଧୁକ ଦେଖାଇ ଲୁଟ୍‌ପାଟ ଭଳି ଏକାଧିକ ଆପରାଧିକ ମାମଲା ରହିଛି। ମୁନା, ସିଲୁ ଓ ଦେବ ନାମରେ ଆଠଗଡ଼ ଥାନାରେ ଏକାଧିକ ମାମଲା ଥିବା ବେଳେ ସୋଲି ନାମରେ ପୁରୀ ଥାନା ଓ ପବନ ନାମରେ ଅନୁଗୁଳ ଥାନାରେ ଏକାଧିକ ମାମଲା ରହିଛି। ସମସ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ଏହି ବୋମାମାଡ଼ ଘଟଣାର ମାଷ୍ଟରମାଇଣ୍ଡ କିଏ ତାହାକୁ ଏବେ ବି ରହସ୍ୟ ଘେରରେ ଥିବାବେଳେ ପୁଲିସ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତନାଘନା ଜାରି ରଖିଛି।

କେମିତି ଧରାପଡ଼ିଲେ ୫ ଅଭିଯୁକ୍ତ?

ବୋମାମାଡ଼ ଘଟଣା ପରଠାରୁ ପୁଲିସ ସିସିଟିଭି ଫୁଟେଜ୍‌ରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ମୋବାଇଲ ନମ୍ବର ଟ୍ରାକିଂ ଓ ଠିକଣା ଠାବ କରିଥିଲା। ବୁଧବାର ବିଳମ୍ବିତ ରାତିରେ ସ୍ପୋସାଲ ସ୍ୱାଡ ଓ ଲକ୍ଷ୍ମୀସାଗର ଥାନା ପୁଲିସର ୩ଟି ଟିମ୍‌ ପୁରୀ, କଟକ ଓ ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଜଣଙ୍କୁ ଗିରଫ କରିଥିଲେ।  ପୁରୀରୁ ସୋଲି, କଟକରୁ ଦେବ ଓ ସିଲୁ ଗିରଫ ହୋଇଥିବାବେଳେ ଭୁବନେଶ୍ୱରରୁ ପବନ ଓ ଲୁନିଆକୁ ଗିରଫ କରାଯାଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନେ ସଞ୍ଜୀବଙ୍କ ଘରକୁ ବୋମାମାଡ଼ କରିଥିବା ମାନିଥିଲେ। ଏଥିସହିତ ସେମାନେ ପୁରୀ ବାଇପାସ୍‌ ରୋଡ଼ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ବୋମା ଲୁଚାଇ ରଖିଥିବା ପ୍ରକାଶ କରିଥିଲେ।

ଏମିତି ହୋଇଥିଲା ବୋମାମାଡ଼ 

ଗତ ଡିସେମ୍ବର ୧୩ ତାରିଖ  ସନ୍ଧ୍ୟା ସାଢ଼େ ୭ଟା। ସଞ୍ଜୀବ ହରିଚନ୍ଦନ ଓ ତାଙ୍କ ପରିବାର ଲୋକ ଘର ଉପର ମହଲାରେ ଥିବା ସମୟରେ ଅଚାନକ ଘର ଉପରକୁ ବୋମାମାଡ଼ ହୋଇଥିଲା। ଶବ୍ଦ ଶୁଣି ସଞ୍ଜୀବ ଓ ତାଙ୍କ ପରିବାର ଲୋକ ଭୟଭୀତ ହୋଇ ପଡ଼ିଥିଲେ। ଏତେ ଜୋରରେ କ’ଣ ଶବ୍ଦ ହେଲା ବୋଲି ସଞ୍ଜୀବ ତଳକୁ ଯିବା ପାଇଁ ବାହାରିଥିଲେ। ତେବେ ସେ ତଳକୁ ଯିବା ପୂର୍ବରୁ ଦୁର୍ବୃତ୍ତମାନେ ଲଗାତାର ଆଉ ୪ଥର ବୋମା ମାଡ଼ କରିଥିଲେ। ଉପର ମହଲା ଝରକା, ବାଲ୍‌କୋନି  ଓ ୨ଟି କାର୍‌କୁ ଲକ୍ଷ୍ୟ କରି ଏହିସବୁ ବୋମା ଫିଙ୍ଗା ହୋଇଥିଲା। ବୋମା ମାଡ଼ ଫଳରେ ସଞ୍ଜୀବଙ୍କ ସ୍କର୍ପିଓ ଏବଂ ଅଲ୍ଟୋ କାର୍‌ର କାଚ ଭାଙ୍ଗି ଚୂରମାର୍‌ ହୋଇଯାଇଥିଲା। ସେହିପରି ଉପର ମହଲାରେ ଥିବା ଝରକା କାଚ ମଧ୍ୟ ଭାଙ୍ଗି ଘର ଭିତରେ ବିଛାଡ଼ି ହୋଇ ପଡ଼ିଥିଲା। ସୌଭାଗ୍ୟବଶତଃ ସେଠାରେ ବସିିଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ।  ଏଭଳି କାଣ୍ଡ ପରେ ସ୍ଥାନୀୟ ବାସିନ୍ଦା ମଧ୍ୟ  ଭୟଭୀତ ହୋଇପଡ଼ିଥିଲେ।  ଖବରପାଇ ପୂର୍ବତନ ଲକ୍ଷ୍ମୀସାଗର ଓ  ବଡ଼ଗଡ଼ ଥାନା  ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ସଞ୍ଜୀବଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ।  ୩ଜଣ ଯୁବକ ଏକ ବାଇକ୍‌ରେ ଆସି ସଞ୍ଜୀବଙ୍କ ଘର ଉପରକୁ ବୋମାମାଡ଼ କରୁଥିବା ଏହି ଫୁଟେଜ୍‌ରୁ ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଥିଲା। ଶେଷରେ ପ୍ରାୟ ଅଢ଼େଇ ମାସ ପରେ ପୁଲିସ ଆଜି ବୋମାମାଡ଼ରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି।

ପାଣ୍ଡିଆନଙ୍କ ଘରେ ଗୋବର ମାଡ଼ ସହିତ ସଂପୃକ୍ତଙ୍କ ଘରୁ ମିଳିଲା ବୋମା 

ଆଜି ପୁଲିସ ପୁରୀ ବାଇପାସ୍‌ ରୋଡ୍‌ ମଙ୍ଗରାଜ୍‌ ପଏଣ୍ଟରେ ଥିବା ଏକ ଫ୍ୟାକ୍ଟ୍ରି ପରିସରରୁ ୩୨ଟି ବୋମା ଜବତ କରିଥିଲା। ସେହି ଫ୍ୟାକ୍ଟ୍ରିଟି କୁନୁ ଓରଫ୍‌ ରାକେଶ ଜେନାଙ୍କର ବୋଲି କୁହାଯାଉଛି। କୁନୁ ଏବେ ଝାରପଡ଼ା ଜେଲ୍‌ରେ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁ ଗୋବର ଓ ଢ଼େଲା ମାଡ଼  ଘଟଣାରେ ପୁଲିସ କୁନୁ ସମେତ ୯ ବିଜେପି କର୍ମୀଙ୍କୁ ଗିରଫ କରିଥିଲା। ଏହି ମାମଲାରେ କୁନୁ ଜାମିନ୍‌ ପାଇ ସାରିଥିଲେ ମଧ୍ୟ କ୍ୟାପିଟାଲ ଥାନା ଏସ୍‌ଆଇ ମାର୍କଣ୍ଡ ମିଶ୍ରଙ୍କୁ ଅପହରଣ ନେଇ ତାଙ୍କ ନାମରେ ମାମଲା ଥିବାରୁ ସେ ଏବେ ବି ଜେଲ୍‌ରେ ଅଛନ୍ତି। ଆଜି ବୋମାମାଡ଼ କରିଥିବା ଅଭିଯୁକ୍ତମାନେ କୁନୁ ଜେନାଙ୍କ ଫ୍ୟାକ୍ଟି୍ର ପରିସରରେ ଥିବା ଏକ ପରିତ୍ୟକ୍ତ ଘରେ ଲୁଚାଇ ରଖିଥିବା ୩୨ଟି ବୋମା  ଜବତ ହେବା ପରେ ଏହି ଘଟଣା ଭିନ୍ନ ମୋଡ଼ ନେଇଛି।

୫ ଘଣ୍ଟାର ସର୍ଚ ଅପରେସନ୍‌, ଜଗିରହିଲେ ଏକ ପ୍ଲାଟୁନ ପୁଲିସ

ମଙ୍ଗରାଜ ପଏଣ୍ଟ ପରିସରରେ ଥିବା ଗୋଟିଏ ପରିତ୍ୟକ୍ତ ଘରେ ବିପୁଳ ପରିମାଣର ବୋମା ରହିଛି ବୋଲି ଜାଣିବା ପରେ ପୁଲିସ ତତ୍ପର ହୋଇ ଉଠିଥିଲା। ଗୁରୁବାର ସକାଳଠାରୁ ଆରମ୍ଭ ହୋଇ ଯାଇଥିଲା ବୋମାଗୁଡ଼ିକୁ ଜବତ କରିବାର ପ୍ରକ୍ରିୟା। ପାଖାପାଖି ୫ ଘଣ୍ଟାର ସର୍ଚ ଅପରେସନ୍‌ ପରେ ପୁଲିସ ସମସ୍ତ ୩୨ଟି ବୋମାକୁ ଜବତ କରିବା ସହ ନିଷ୍କ୍ରିୟ କରିଥିଲା। ବୋମା ଜବତ ସମୟରେ କାଳେ କିଛି ଅଘଟଣ ଘଟିବ, ଏଥିପାଇଁ ପୁଲିସ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା।  ଅପରାହ୍ନ ପ୍ରାୟ ୨ଟାରୁ ପୁଲିସ  ସ୍ଥାନୀୟ ଅଞ୍ଚଳକୁ ଏକ ପ୍ରକାର ସିଲ୍‌ କରିଥିଲା। ଏକ ପ୍ଲାଟୁନ୍‌ ପୁଲିସ ବୋମା ଥିବା ସ୍ଥାନ ଚାରି ପଟେ ଜଗି ରହିଥିଲେ। ସ୍ଥାନୀୟ କେତେକ କୋଠାର ଛାତ ଉପରଠାରୁ ତଳ ପର୍ଯ୍ୟନ୍ତ ସବୁଠି ପୁଲିସ ମୁତୟନ କରାଯାଇଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ   ଡିସିପି ସତ୍ୟବ୍ରତ ଭୋଇ, ଏସିପି ଫଗୁଆ ସିଂହ, ଏସିପି ସଞ୍ଜୀବ ଶତପଥୀ, ଆଇଆଇସି ଦୟା ନାୟକ, ବଡ଼ଗଡ଼ ଆଇଆସି ପଦ୍ମନାଭ ପ୍ରଧାନଙ୍କ ଉପସ୍ଥିତିରେ ବୋମା ନିଷ୍କ୍ରିୟକାରୀ ଦଳ ୩ଟି ବାଲ୍‌ଟିରେ ବାଲି ଆବରଣ ଭିତରେ ଥିବା ୩୨ଟି ବୋମାକୁ ଜବତ କରିଥିଲା। ଗୋଟିଏ ଗୋଟିଏ ବୋମାର ଓଜନ ପ୍ରାୟ ଦେଢ଼ କିଲୋ ଥିଲା। ଅପରାହ୍ନ ପ୍ରାୟ ୫ଟା ସମୟରେ ଅତ୍ୟନ୍ତ ସତର୍କତାର ସହ ନିକଟରେ ଥିବା ଫାଙ୍କା ସ୍ଥାନକୁ ବୋମାଗୁଡ଼ିକୁ ନିଆଯାଇଥିଲା ଏବଂ ପ୍ରାୟ ଦେଢ଼ ଘଣ୍ଟା ପରେ ନିଷ୍କ୍ରିୟ କରାଯାଇଥିଲା। ତେବେ ବୋମା ନିଷ୍କ୍ରିୟ କରିବା ସମୟରେ ଯେଉଁ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା ତାହା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଥିଲା।

 

ସମ୍ବନ୍ଧିତ ଖବର