ଜନସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନି ପାଉଡର ବ୍ୟବହାର କରି ୨୨ଜଣ ମହିଳା କର୍କଟ ଆକ୍ରାନ୍ତ ହୋଇଥିବା ଅଭିଯୋଗ

ମିସୋରି: ଦୁନିଆରେ ବେବି ପ୍ରଡକ୍ଟସ୍‌ ପାଇଁ ସବୁଠାରୁ ନାମୀ କମ୍ପାନି ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ପୁଣି ଥରେ ବିବାଦରେ ଫସି ଯାଇଛି। କମ୍ପାନିକୁ ମିସୋରିର ଏକ ଅଦାଲତ ୨୨ ପୀଡିତା ମହିଳାଙ୍କୁ ୩୨୧୦୦ କୋଟି ଟଙ୍କା କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛି।

ଏହି ୨୨ଜଣ ମହିଳା ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବିରୋଧରେ ଅଭିଯୋଗ କରି କହିଛନ୍ତି, କମ୍ପାନିର ଟେଲକମ୍ ଆଧାରିତ ପ୍ରଡକ୍ଟ ବିଶେଷ କରି ଟଲକମ୍ ପାଉଡର ବ୍ୟବହାର ହେତୁ ସେମାନେ ଓଭାରିୟନ୍‌ (ଗର୍ଭାଶୟ) କ୍ୟାନ୍‌ସର ଆକ୍ରାନ୍ତ ହୋଇଛନ୍ତି । ଏହି ମହିଳାମାନେ ପାଖାପାଖି ଏକ ବର୍ଷ ହେବ ବେବି ପାଉଡର ଓ କସ୍‌ମେଟିକ୍‌ ଟଲକମ୍ ପାଉଡର ବ୍ୟବହାର କରି ଆସୁଥିଲେ।  ଏଥିରେ ଥିବା ଅାସବେଷ୍ଟସ୍‌ ଉପାଦାନ କ୍ଷତିକାରକ ହୋଇଥିବା ହେତୁ ଏହାର ପ୍ରଭାବରେ ସେମାନେ ଓଭାରିୟନ୍‌ରେ କ୍ୟାନସର ଅାକ୍ରାନ୍ତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି।

ଗୁରୁବାର ସେଣ୍ଟ ଲୁଇସର ସର୍କିଟ କୋର୍ଟ ନିଜର ନିଷ୍ପତ୍ତି ଶୁଣାଇ କମ୍ପାନିକୁ ୫୫୦ ମିଲିୟନ୍‌ ଡଲାଇ କ୍ଷତିପୂରଣ ସହିତ ୪.୨୪ ବିଲିୟନ୍‌ ଡଲାର ଜରିମାନା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନି ଉପରେ ପୂର୍ବରୁ ବି ଅନେକ ଥର ଅଭିଯୋଗ ହୋଇଛି। କମ୍ପାନି ଏ ପ୍ରକାର ଅଭିଯୋଗ  ନେଇ ପାଖାପାଖି ୯,୦୦୦ ମାମଲା ଲଢ଼ୁଛି। ତେବେ କମ୍ପାନି ପ୍ରତ୍ୟେକ ଅଭିଯୋଗକୁ ଏଯାବତ୍‌ ଖଣ୍ଡନ କରି ଆସିଛି। ଏହି ରାୟକୁ କମ୍ପାନି ଦୁଃଖଦାୟକ କହିବା ସହ ଉପର ଅଦାଲତରେ ଏହାକୁ ଚାଲେଞ୍ଜ କରିବ ବୋଲି କହିଛି।

ସମ୍ବନ୍ଧିତ ଖବର