ଭୁବନେଶ୍ୱର : ପାର୍ବଣ ଋତୁ ଆରମ୍ଭ ହେବା ପରଠୁ ରାଜଧାନୀରେ ଖୋଲି ଗଲାଣି ଜୁଆ ଆଡ଼ା। ସକ୍ରିୟ ହୋଇ ଉଠିଲେଣି ଜୁଆଡ଼ି। ବସ୍ତିଠାରୁ ଆରମ୍ଭ କରି ବିଭିନ୍ନ ବଡ଼ ବଡ଼ ଆପାର୍ଟମେଣ୍ଟରେ ବେଧଡ଼କ୍ ଜୁଆ ଖେଳ ହେଉଥିବାବେଳେ ଏବେ ସ୍ମାର୍ଟ ସିଟିରେ ଇଣ୍ଟରନେଟ୍ ମାଧ୍ୟମରେ ସାଇବର୍ ଜୁଆ ଖେଳ ବି ଆରମ୍ଭ ହେଲାଣି। ବିଶେଷକରି କୁମାର ପୂର୍ଣିମାଠାରୁ ଦୀପାବଳି ପର୍ଯନ୍ତ ଏଭଳି ଜୁଆ ଖେଳର ଆସର ଜମୁଥିବାରୁ ଜୁଆ ଆଡ଼ା ଠାବ କରି ଚଢ଼ଉ କରିବା କମିସନରେଟ୍ ପୁଲିସ ପାଇଁ ନୂଆ ଆହ୍ଵାନ ସୃଷ୍ଟି କରିଛି। କମିସନରେଟ୍ ପୁଲିସ ମଧ୍ୟ ଜୁଆ ଆଡ଼ା ଉପରେ ନଜର ପକାଇବା ଚ୍ୟାଲେଞ୍ଜ୍ କରିଛି। ସ୍ୱତନ୍ତ୍ର ଭାବେ କୁଇକ ଆକ୍ସନ ଟିମ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫଳରେ ସପ୍ତାହକ ମଧ୍ୟରେ କ୍ୟୁଏଟି ଓ ବିଭିନ୍ନ ଥାନାର ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ଟି ଜୁଆ ଆଡ଼ା ଠାବ କରିବା ସହିତ ୨୯ ଜୁଆଡ଼ିଙ୍କୁ ଗିରଫ କରି ସାରିଲାଣି। ଜୁଆଡ଼ିମାନଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କା ଜବତ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି ଅଧିକ ହେବ ବୋଲି କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କା ସୂଚନା ଦେଇଛନ୍ତି।
ରାଜଧାନୀରେ ରହୁଥିବା ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଲୋକେ କୁମାର ପୂର୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ଏହାକୁ ଏକ ପରମ୍ପରା ବୋଲି ଦର୍ଶାଇ ଜୁଆ ଖେଳିଥାନ୍ତି। କିଏ ତାସମୁଠାରେ ଜୁଆ ଖେଳେ ତ ଆଉ କିଏ ପାଲିରେ। ତେବେ ଗତକାଲି କ୍ୟୁଏଟି ଗଙ୍ଗନଗର ଭୀମପୁରରୁ ଏକ ସାଇବର୍ ଜୁଆ ଆଡ଼ା ଉପରେ ଚଢ଼ଉ କରିଥିଲା। ଲାପ୍ଟପ୍ରେ ଇଣ୍ଟରନେଟ ମାଧ୍ୟମରେ କିଛି ନିଶିଦ୍ଧ ଜୁଆ ଆପ୍ ଡାଉନ୍ଲୋଡ୍ କରି ଏହି ଜୁଆ ଖେଳ ହେଉଥିଲା। ପୁଲିସ ଏହି ଆଡ଼ାରୁ ୧୧ ଜଣଙ୍କୁ ଗିରଫ କରିବା ସହିତ ଦୁଇଟି ଲାପ୍ଟପ୍, ୨୯ ହଜାର ଟଙ୍କା, ୧୫ଟି ମୋବାଇଲ୍ ଫୋନ୍, ୩ଟି ବାଇକ୍ ଆଦି ଜବତ କରିଛି। ଗିରଫ ହୋଇଥିବା ୧୧ ଜଣ ଜୁଆଡିଙ୍କ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ ବି ଅଛନ୍ତି। ସପ୍ତାହକ ତଳେ କ୍ୟୁଏଟି ତମାଣ୍ଡୋ ଥାନା ଅଧୀନ ପାତ୍ରପଡ଼ା ଭଗବାନପୁର କେ-୯ ଅଞ୍ଚଳରେ ଚଢ଼ଉ କରି ୧୩ ଜଣଙ୍କୁ ଗିରଫ କରିବା ସହିତ ୧.୪୩ ଲକ୍ଷ ଟଙ୍କା ଜବତ କରିଥିଲା। ସେହିପରି ଗତକାଲି ରାତିରେ ନୂଆପଲ୍ଲୀ ଥାନା ଅନ୍ତର୍ଗତ ମହାବୀରନଗର ଅଞ୍ଚଳରେ ଚଢ଼ଉ କରି ପୁଲିସ ଖୋକା ପାତ୍ର, ଧରଣୀଧର ପାତ୍ର, ସରୋଜ ଗୌଡ଼ା, ବାପୁନି ପାତ୍ର ଓ ପ୍ରଫୁଲ୍ଲ ନାୟକ ଆଦି ୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।
ପୁଲିସର ତତ୍ପରତା ସତ୍ତ୍ୱେ ରାଜଧାନୀର ଅନେକ ବସ୍ତି ଓ ଆର୍ପାଟମେଣ୍ଟଗୁଡିକରେ ଏବେ ଜୁଆ ଖେଳ ଗୋପନରେ ଚାଲିଛି। ଏପରିିକି କେତେକ ଜୁଆଡ଼ି ଛୋଟ ଛୋଟ ହୋଟେଲ ଓ ଲଜ୍ ରୁମ୍ ଭଡ଼ାରେ ନେଇ ତାସପାଲିରେ ଜୁଆ ଖେଳୁଛନ୍ତି। ଖେଳ ଏମିିତି ଜମୁଛି ଯେ ରାତି ମଧ୍ୟ ପାହି ଯାଉଛି। ଏଭଳି ଖେଳରେ କିଏ ମାଲାମାଲ ହେଉଛି ତ ଆଉ କିଏ ସର୍ବସ୍ୱ ହରାଉଛି। ଏପରିକି କେତେକ ନିଜ ଘର, କାର, ସୁନାଗହଣା ଓ ବାଇକ୍ ଆଦି ବନ୍ଧା ରଖି ମୋଟା ଅଙ୍କରେ ସୁଧ ଆଣି ଜୁଆ ଖେଳୁଛନ୍ତି। ବିଶେଷକରି ସତ୍ୟନଗର, ଶାସ୍ତ୍ରୀନଗର, ସହିଦନଗର, ଚନ୍ଦ୍ରଶେଖରପୁର, ସାଲିଆସାହି, ଭରତପୁର, ପୁରୁଣା ଭୁବନେଶ୍ୱର, ୟୁନିଟ-୩, ନୂଆପଲ୍ଲୀ, ବରମୁଣ୍ଡା, ଜନପଥରେ ଥିବା କେତେକ ହୋଟେଲ ଓ ଲଜ୍ରେ ଏଭଳି ଖେଳ ଜୋରଦାର ଭାବେ ଚାଲିଛି। ରାଜଧାନୀ ଉପକଣ୍ଠରେ ଥିବା କେତେକ ଗ୍ରାମରେ ମଧ୍ୟ ଜୋରଦାର୍ ଜୁଆ ଖେଳ ହେଉଛି।
ଏ ସମ୍ପର୍କରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି, ଜୁଆ ଖେଳ ହେଉଥିବା ନେଇ ଖବର ଆସିଲେ ପୁଲିସ ତୁରନ୍ତ ଚଢ଼ଉ କରାଯିବ। ଏହା ଛଡ଼ା ଯେଉଁଠି ଜୁଆ ଖେଳ ହେଉଛି ବୋଲି ଖବର ଆସୁଛି, ସାଧାରଣ ଲୋକ ଚାହିଁଲେ ୯୪୩୮୮୮୪୪୧୧, ୯୪୩୮୮୮୨୨୬୬ ମୋବାଇଲ୍ ନମ୍ବରରେ ସୂଚନା ଦେଇ ପାରିବେ।
ସ୍ମାର୍ଟଫୋନ୍ରେ ଚାଲୁଥିଲା ଖେଳ : ଜେଲ୍ ଗଲେ ସାଇବର ଜୁଆଡ଼ି
ଭୁବନେଶ୍ୱର : ବୁଧବାର ରାତିରେ ଏୟାରଫିଲ୍ଡ ଥାନା ଅଧୀନ ଗଙ୍ଗନଗର ଭୀମପୁର ମୌଜାରୁ ଗିରଫ ହୋଇଥିବା ୧୧ ଜଣ ସାଇବର ଜୁଆଡ଼ିଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୁଲିସ। ସେମାନେ ହେଲେ ସୁକାନ୍ତ କୁମାର ଶତପଥୀ, ସୁରେଶ ଚନ୍ଦ୍ର ମଲ୍ଲିକ, ଶ୍ରୀନିବାସ ଦାସ, କୃପାସିନ୍ଧୁ ପାଣି, ଯଦୁମଣି ହେମ୍ବ୍ରମ, ଗୋବିନ୍ଦ ପାତ୍ର, ପ୍ରଭାତ କୁମାର ସାହୁ, ଲିଙ୍ଗରାଜ ମନ୍ତ୍ରୀ, ଶରତ କୁମାର କୁଣ୍ଡୁ, ଆଶିଷ ବେହେରା, କୃୃଷ୍ଣ ମୋହନ ମହାପାତ୍ର ପ୍ରମୁଖ। ପୁଲିସ ଏମାନଙ୍କ ନିକଟରୁ ୨୯ ହଜାର ଟଙ୍କା, ଦୁଇଟି ଲାପଟପ, ୧୫ଟି ମୋବାଇଲ୍ ଫୋନ୍ ଓ ୩ଟି ବାଇକ ଜବତ କରିଛି।
ଏହି ଗ୍ୟାଙ୍ଗ ଇଣ୍ଟରନେଟ ମାଧ୍ୟମରେ ଜୁଆ ଖେଳାଉ ଥିଲା। କ୍ୟୁଏଟି ମୁଖ୍ୟ ଦୀପକ ଲେଙ୍କାଙ୍କ କହିବା ଅନୁଯାୟୀ ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମୁମ୍ବାଇରେ ବସି ଅପରେଟ୍ କରିଥାଏ। ଏହି ଜୁଆ ଖେଳର ନାମ ମହାରାଷ୍ଟ୍ର ଗୋଲଡ୍। ଏହା ଏକ ମୋବାଇଲ୍ ଆପ୍। ଯେଉଁମାନେ ଜୁଆ ଖେଳିବେ, ସେମାନେ ନିଜ ନିଜ ମୋବାଇଲ୍ ଫୋନ୍ରେ ଏହି ଆପ୍କୁ ଡାଉନଲୋଡ୍ କରିବାକୁ ପଡ଼ିଥାଏ। ଏହା ପରେ ସେମାନେ ସେହି ଆପ୍ ଭିତରକୁ ଯାଇ ଶୂନ୍ରୁ ୯ ଯାଏ ଥିବା ୟୁନିଟ ଅନ୍ ଲାଇନ୍ ମାଧ୍ୟମରେ କିଣିଥାନ୍ତି। ଜୁଆଡ଼ିକୁ ଗୋଟିଏ ୟୁନିଟ କିଣିବାକୁ ୧୧ ଟଙ୍କା ଖର୍ଚ କରିବାକୁ ପଡ଼ିଥାଏ। ଆଉ ଲକି ନମ୍ବର ଜିତିଲେ ୧୦୦ ଟଙ୍କାର ପୁରସ୍କାର ମିଳେ। ଏହି ଭଳି ଭାବେ ଜୁଆ ଖେଳ ଚାଲିଥିଲା ବୋଲି ଏସ୍ଆଇ ଲେଙ୍କା କହିଛନ୍ତି।
ରାଜଧାନୀର ଅନ୍ୟସ୍ଥାନଗୁଡ଼ିକରେ ଏଭଳି ସାଇବର ଜୁଆ ଖେଳ ଚାଲିଛି। ଖୁବ ଶୀଘ୍ର ସେଗୁଡ଼ିକ ଉପରେ ଚଢ଼ଉ ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/juadi.jpg)