କନିଷ୍ଠ ଯନ୍ତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ, ହତ୍ୟା ସନ୍ଦେହ

ନିଖୋଜ ହେବାର ୨୪ଘଣ୍ଟା ପରେ ମିଳିଲା ଶବ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଥିଲେ

ଜୟପୁର: ନିଖୋଜ ହେବାର ୨୪ଘଣ୍ଟା ପରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓଙ୍କ ଶବ ଆଜି ଠାବ କରାଯାଇଛି। ହରଡ଼ାଗୁଡ଼ା ନିକଟସ୍ଥ ମୁଷାଲଟି ଜଙ୍ଗଲରୁ ପୁଲିସ ଶବ ଉଦ୍ଧାର କରିଛି। ମୁହଁ ପୂରା କଳା ପଡ଼ିଯାଇଥିବା ବେଳେ ନାକ ଓ ପାଟିରୁ ରକ୍ତ ବାହାରି ଶୁଖି ଯାଇଛି। ଘଟଣାସ୍ଥଳରେ କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ, ବୋରିଗୁମ୍ମା ଏସ୍‌ଡିପିଓ ହ‌ରେକୃଷ୍ଣ ମାଝୀ, ଜୟପୁର ଏସ୍‌ଡିପିଓ ବରୁଣ ଗୁଣ୍ଠପାଲ୍ଲୀ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଥିଲା। ‌କେଉଁ ପରିସ୍ଥିତିରେ ଏବଂ କେମିତି ତାଙ୍କର ମୃତ୍ୟୁ ହେଲା ସ୍ପଷ୍ଟ ହୋଇପାରି ନାହିଁ। ଶବଠାରୁ ଅଳ୍ପ ଦୂରରେ ସେ ପିନ୍ଧିଥିବା ଜୋତା ପଡ଼ିଥିବା ଦେଖିବାକୁ ମିଳିଛି। ଗତକାଲି ବିଭାଗ ପକ୍ଷରୁ ନିର୍ମିତ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ଲାଗି କନିଷ୍ଠ ଯନ୍ତ୍ରୀ ଏମ୍.ଭେଙ୍କଟ ରାଓ ଅନ୍ୟ ସହକର୍ମୀଙ୍କ ସହ ହରଡ଼ାଗୁଡ଼ା ଯାଇଥିଲେ। ସେଠାରୁ ସେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନ ଥିବାରୁ ସହକର୍ମୀମାନେ ଫେରି ଆସିଥିଲେ। ଗତକାଲି ସଂଧ୍ୟାରେ ହିଁ ‌ବିସିଂପୁର ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି ସକାଳେ ତାଙ୍କ ପତ୍ନୀ କୌଣସି ଖୋଜ‌ଖବର ନ ପାଇ ସନ୍ଦେହ ହେବାରୁ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ବୋରିଗୁମ୍ମା ଏସ୍‌ଡିପିଓ ହରେକୃଷ୍ଣ ମାଝିଙ୍କ ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିସିଂପୁର ଥାନାରେ ଲିଖିତ ଅଭିଯୋଗ ଦେିଥିବା ଜଣାପଡ଼ିଛି।

ଏ ନେଇ ଏସ୍‌ପି ମୁକେଶ କୁମାର ଭାମୁଙ୍କୁ ଯୋଗାଯୋଗ କରିବାରୁ ଗତକାଲି ଅଭିଯୋଗ ମିଳିବା ପରେ ପୁଲିସ ପକ୍ଷରୁ ଗୋଟିଏ ଟିମ୍ ଗଠନ କରି ଖୋଜାଖୋଜି ଆରମ୍ଭ ହୋଇଥିଲା। ଆଜି ଜଙ୍ଗଲରେ ତାଙ୍କ ଶବ ମିଳିବା ପରେ ତଦନ୍ତ ଆରମ୍ଭ ହୋଇଛି। ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସହକର୍ମୀଙ୍କ ବୟାନ ଆଦି ସଂଗ୍ରହ କରାଯାଉଛି। ସେଭଳି ତାଙ୍କୁ କାର୍ଯ୍ୟାଳୟରେ କେହି ମାନସିକ ଚାପ ଦେଉଥିଲେ ନା ନାହିଁ ତାହାର ବି ତଦନ୍ତ କରାଯିବ। ତେବେ ଏହା ହତ୍ୟା ନା ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି। ସୂଚନାଯୋଗ୍ୟ, ମୃତ କନିଷ୍ଠ ଯନ୍ତ୍ରୀଙ୍କ ନିଜ ଘର ଗଂଜାମ ଜିଲ୍ଲାର ବ୍ରହ୍ମପୁର ଅଂଚଳରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର