ନୂଆଦିଲ୍ଲୀ: ନିକଟରେ ଜଣେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟରଙ୍କ ଠାରୁ ଏକ କାର ଲୁଟେରା ଲୁଟି ନେଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ପରିସ୍ରା ଯିବାକୁ ବଲେନୋ କାର ରାସ୍ତାରେ ରଖିଥିବା ବେଳେ ଏହି ଲୁଟର ଶିକାର ହୋଇଛନ୍ତି। ଲୁଟେରା ପ୍ରଥମେ ଇନ୍ସପେକ୍ଟରଙ୍କ ମୁଣ୍ଡ ଉପରେ ଆକ୍ରମଣ କରିଥିଲେ, ସେ ଅଚେତ ହୋଇପଡ଼ିଯିବା ପରେ କାର ନେଇ ଲୁଟେରା ଫେରାର ହୋଇଯାଇଥିଲେ।
ତେବେ ଘଟଣାସ୍ଥଳରେ ଥିବା ଲୋକମାନେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଇନ୍ସପେକ୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୂଚନା ମୁତାବକ, ପୀଡିତ ଇନ୍ସପେକ୍ଟର ନାମ ଅବଧେଶ କୁମାର ବୋଲି ଜଣାପଡ଼ିଛି। ସେ ତାଙ୍କ ବଲେନୋ କାରରେ ବସି ଉରଇରୁ ବଦାୟୁ ଅଭିମୁଖେ ଯାତ୍ରା କରୁଥିଲେ। ରାସ୍ତାରେ ପରିସ୍ରା ଲାଗିବାରୁ ସେ ଗାଡ଼ି ଅଟକାଇ ପରିସ୍ରା କରିଥିଲେ। ଏହି ସମୟରେ ୩ଜଣ ଲୁଟେରା ହଠାତ ଆସି ଅବଧେଶଙ୍କ ଉପରେ ଆକ୍ରମଣ କରିଥିଲେ। ଲୁଟେରାଙ୍କ ଆକ୍ରମଣରେ ଇନ୍ସପେକ୍ଟର ଗୁରୁତର ଆହତ ହୋଇ ଅଚେତ ହୋଇ ପଡ଼ିଥିଲେ। ଫଳରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅବଧେଶ କୁମାରଙ୍କ ଗାଡ଼ି ଲୁଟେରା ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।