କାନପୁର: ତିନି ଦିନ ପୂର୍ବେ ଉତ୍ତରପ୍ରଦେଶର କାନପୁରରେ ଜଣେ ନାବାଳିକା ଜୀବନ ହାରିଥିବା ଖବର ଆସିଥିଲା। ଜଣେ ଯୁବକ ତାଙ୍କ ଘରକୁ ସିନ୍ଦୁର ବାକ୍ସ ଏବଂ ପିସ୍ତଲ ଧରି ଆସି ଜୋରଜବରଦସ୍ତ ବିବାହ କରିବାକୁ ଧମକ ଦେବାରୁ ସେ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ପରିବାର ଲୋକେ ଦାବି କରିଥିଲେ। ଏବେ, ଏହି ଘଟଣାକୁ ନେଇ ପୁଲିସ ଏକ ନୂଆ ଖୁଲାସା କରିଛି। ପରିବାର ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ, ଆମ ଝିଅ, ଅଭିଯୁକ୍ତ ଗୁଲସନର ଧମକରେ ବିରକ୍ତ ହୋଇ ଆତ୍ମହତ୍ୟା କରିଛି। କାରଣ ସେ ତାକୁ ଜୋରଜବରଦସ୍ତ ବିବାହ କରିବାକୁ ଚାହୁଁଥିଲା।
ତେବେ ଏହି ଅଭିଯୋଗ ପାଇବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଭିନ୍ନ କାହାଣୀ ସାମ୍ନାକୁ ଆସିଛି। ଜଣାପଡ଼ିଛି ଯେ, ମୃତ ନାବାଳିକା ଗୁଲସନଙ୍କ ପଛରେ ପଡ଼ିଥିଲେ। ଜୀବନ ହାରିବା ଦିନ ସେ ଗୁଲସନଙ୍କୁ ୨୨ଥର କଲ୍ କରିଥିଲେ। ୨୨ଥର ମଧ୍ୟରେ କିଛି କଲ୍ ଗୁଲସନ ଉଠାଇଥିବା ବେଳେ କିଛି କଲ୍ ଉଠାଇ ନଥିଲେ। ଏହା ସହ ଜୀବନ ହାରିବା ପୂର୍ବରୁ ନାବାଳିକା ନିଜ ପାପୁଲିରେ ଆଇ ମିସ୍ ୟୁ ସୋନା ଲେଖି ଗୁଲସନଙ୍କ ଫୋନ ନମ୍ବର ମଧ୍ୟ ଲେଖିଥିଲେ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ନାବାଳିକା ମଧ୍ୟ ଗୁଲସନଙ୍କୁ ଭଲପାଉଥିଲେ। ଏବେ ଅଧିକ ତଥ୍ୟ ପାଇଁ ପୁଲିସ ଗୁଲସନଙ୍କୁ ଅଟକ ରଖି ପଚରାଉଚରା କରୁଛି।