ବେଙ୍ଗାଲୁରୁ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଅଫତାବ କେବଳ ତା ପ୍ରେମିକାକୁ ହତ୍ୟା କରିନଥିଲା, ବରଂ ତାଙ୍କ ମୃତ ଶରୀରକୁ ୩୫ଖଣ୍ଡ କରି କାଟି ଦେଇଥିଲା। ବର୍ତ୍ତମାନ କର୍ଣ୍ଣାଟକରୁ ମଧ୍ୟ ସେଭଳି ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କୁଳାଙ୍ଗାର ପୁଅ ନିଜ ବାପାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ୩୦ଖଣ୍ଡ କରି ଏକ ବୋରୱେଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଘଟଣାଟି କର୍ଣ୍ଣାଟକର ବାଗଲକୋଟରେ ଘଟିଥିବା ବେଳେ ଅଭିଯୁକ୍ତର ବୟସ ମାତ୍ର ୨୦ବୋଲି ଜଣାପଡ଼ିଛି। ଘଟଣାଟି ଡିସେମ୍ବର ୬ରେ ଘଟିଥିବା ବେଳେ ଅଭିଯୁକ୍ତର ନାଁ ବିଠ୍ଠଲ ବୋଲି ଚିହ୍ନଟ କରିଛି ପୁଲିସ। ଅଭିଯୁକ୍ତକୁ ପୁଲିସ ସୋମବାର ଗିରଫ କରିଛି। ପୁଲିସର ସୂଚନାନୁସାରେ, ପଚରାଉଚରା ବେଳେ ବିଠ୍ଠଲ କହିଛି ଯେ ଯେତେବେଳେ ବି ତାଙ୍କ ବାପା ପର୍ଶୁରାମ ମଦ୍ୟପାନ କରୁଥିଲେ, ସେ ତାଙ୍କୁ ମାଡ ମାରୁଥିଲେ। ଡିସେମ୍ବର ୬ରେ ବି ପର୍ଶୁରାମ ମଦ୍ୟପାନ କରି ବିଠ୍ଠଲକୁ ମାଡ ମାରିବାରୁ ରାଗରେ ପର୍ଶୁରାମଙ୍କୁ ରଡରେ ପିଟିଥିଲା ବିଠ୍ଠଲ। ଏହି ସମୟରେ ପର୍ଶୁରାମଙ୍କ ମୃତ୍ୟୁ ହୋଇଥିଲା। ଧରାପଡ଼ିଯିବା ଡରରେ ବିଠ୍ଠଲ ପର୍ଶୁରାମଙ୍କୁ ଖଣ୍ଡ ଖଣ୍ଡ କରି କାଟି ନିଜ ବିଲରେ ଥିବା ବୋରୱେଲରେ ଫିଙ୍ଗି ଦେଇଥିଲା।