ବେଙ୍ଗାଲୁରୁ: ଅନ୍ୟ ଜାତିର ଜଣେ ଯୁବକଙ୍କୁ ପ୍ରେମ କରୁଥିବାରୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ନିଜ ୨୦ ବର୍ଷୀୟ ଝିଅର ତଣ୍ଟିଚିପି ହତ୍ୟା କରିବାରୁ ତା’ର ପ୍ରେମିକ ଚଳନ୍ତା ରେଳଗାଡ଼ି ଆଗକୁ ଡେଇଁ ପ୍ରାଣ ହରାଇଥିବା କଥା ପୁଲିସ କହିଛି।
ପ୍ରାପ୍ତ ସୂଚନା ଅନୁସାରେ, ପ୍ରେମ କରୁଥିବା ଅନ୍ୟ ଜାତିର ୨୪ ବର୍ଷିୟ ଯୁବକ ଗଙ୍ଗାଧରକୁ ବାହା ହେବା ପାଇଁ ଚାହୁଁଥିବାରୁ କୋଲାର୍ ଗୋଲ୍ଡ୍ ଫିଲ୍ଡ୍ସ୍ (କେଜିଏଫ୍) ଅନ୍ତର୍ଗତ ବାଙ୍ଗର୍ପେଟ୍ ନିବାସୀ କୃଷ୍ଣମୂର୍ତ୍ତି ଓ ତାଙ୍କ ଝିଅ କିର୍ତ୍ତୀ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।
ପୁଲିସ କହିଛି,ଗଙ୍ଗାଧରଙ୍କ ସହିତ ସମ୍ପର୍କ ତୁଟାଇବାକୁ ଗତକାଲି ସକାଳେ କୃଷ୍ଣମୂର୍ତ୍ତି ପୁଣି ଥରେ କୀର୍ତ୍ତିକୁ ବୁଝାଇ କହିବାରୁ ବାପ-ଝିଅ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ପ୍ରବଳ ହେବାରୁ ରାଗରେ କୃଷ୍ଣମୂର୍ତ୍ତି କୀର୍ତ୍ତିର ତଣ୍ଟିଚିପି ମାରିପକାଇଲେ। ତା’ପରେ ଝିଅ ଆତ୍ମହତ୍ୟା କରିଛି ବୋଲି ଜଣାଇବା ଲାଗି ସେ ତା’ର ଶବକୁ ପଙ୍ଖାରେ ଫାଶୀ ଦେଲା ଭଳି ଝୁଲାଇ ଦେଇଥିଲେ।
ସୂଚନା ପାଇବା ପରେ କୀର୍ତ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସର ସନ୍ଦେହ ହେବାରୁ କୃଷ୍ଣମୂର୍ତ୍ତିଙ୍କୁ ପଚରା ଉଚରା କରାଗଲା ଏବଂ ସେ ଅପରାଧ ସ୍ବୀକାର କଲେ।
ପୁଲିସ ଆହୁରି ମଧ୍ୟ କହିଛି ଯେ, ରାଜମିସ୍ତ୍ରୀ କାମ କରୁଥିବା ଗଙ୍ଗାଧର କୀର୍ତ୍ତିଙ୍କ ମୃତ୍ୟୁ ସମ୍ବାଦ ପାଇଁ ଅଧୈର୍ଯ୍ୟ ହୋଇପଡ଼ିଲେ। ନିକଟରେ ଥିବା ରେଳପଥ ଆଡ଼କୁ ଯାଇ ଗୋଟାଏ ଚଳନ୍ତା ଟ୍ରେନ୍ ଆଗକୁ ଡେଇଁପଡ଼ିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।
କୃଷ୍ଣମୂର୍ତ୍ତିଙ୍କୁ ଗରିଫ କରାଯାଇଥିବା କଥା ‘କେଜିଏଫ୍’ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କେ. ଧରଣୀ ଦେବୀ କହିଛନ୍ତି।