ମାଙ୍ଗାଲୁରୁ : ଲଗାତାର ୨୦ଜଣ ମହିଳାଙ୍କ ସହ ଦୁଷ୍କର୍ମ ଓ ପରେ ହତ୍ୟା କରି ଖସି ଆସୁଥିଲା ଅଭିଯୁକ୍ତ ସାୟାନାଇଡ୍ ମୋହନ । କିନ୍ତୁ ଏବେ ତାକୁ ଷଷ୍ଠ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ଆଜୀବନ କାରାଦଣ୍ଡ ମିଳିଥିବା ଜଣାପଡ଼ିଛି । ମାଙ୍ଗାଲୁରୁ ଅଦାଲତ ଗୁରୁବାର ଅଭିଯୁକ୍ତ ସାଏନାଇଡ୍ ମୋହନଙ୍କୁ ତା’ର ଅପରାଧ ପାଇଁ ଏଭଳି ଦଣ୍ଡ ଶୁଣାଇଛନ୍ତି । ୨୦୦୯ରେ କରିଥିବା ଅପରାଧ ପାଇଁ ମୋହନ କୁମାର ଓରଫ ସାଏନାଇଡ୍ ମୋହନଙ୍କ ବିରୋଧରେ ଷଷ୍ଠ ଅତିରିକ୍ତ ଜିଲ୍ଲା ଅଦାଲତ ଓ ସେସନ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ନାଁରେ ଏଭଳି ୨୦ଟି ମାମଲା ରୁଜୁ ଥିବା ବେଳେ ଷଷ୍ଠ ମାମଲା ପାଇଁ ତାକୁ ଏଭଳି ଦଣ୍ଡ ଦିଆଯାଇଛି । ଏହା ସହ ତାକୁ ୧୮,୦୦୦ଟଙ୍କାର ଜରିମାନା ମଧ୍ୟ ଦେବା ପାଇଁ ଆଦେଶ ଦିଆଯାଇଛି ।
ସୂଚନା ମୁତାବକ, ଅଭିଯୁକ୍ତ ମୋହନ ବନ୍ତଓ୍ଵାଲରେ ରହୁଥିବା ୩୧ବର୍ଷୀୟା ପୀଡ଼ିତାଙ୍କୁ ପୁଟ୍ଟୁରର ବସ୍ ଷ୍ଟାଣ୍ଡରେ ପ୍ରଥମେ ଦେଖିଥିଲେ । ପୀଡ଼ିତା ଜାତି ବିଷୟରେ ଜାଣି ଅଭିଯୁକ୍ତ ନିଜର ଜାତି ବଦଳାଇବା ସହ ନିଜ ନାଁ ସୁଧାକର ଗୌଡ଼ ବୋଲି କହିଥିଲେ । ଧିରେ ଧିରେ ପୀଡ଼ିତାଙ୍କ ସହ ସମୟ ବିତାଇବା ସହ ତାଙ୍କ ନମ୍ବର ନେଇ କଥା ହେବା ଆରମ୍ଭ କରିଥିଲେ । ପରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଅପ୍ରେଲ ୨୦୦୯ରେ ସେ ପୀଡ଼ିତାଙ୍କୁ ଘର ଛାଡ଼ି ଆସିବା ପାଇଁ କହିଥିଲେ । ପ୍ରେମରେ ଅନ୍ଧ ହୋଇ ଯାଇଥିବା ପୀଡ଼ିତା ନିଜର ଚାକିରି ଛାଡ଼ି ଘରେ ଥିବା ସୁନା ଗହଣା ଓ ଫୋନ ନେଇ ଅଭିଯୁକ୍ତ ମୋହନ ପାଖରେ ପହଞ୍ଚିଥିଲେ । ଯାହା ପରେ ଦୁହେଁ ମହୀଶୂର ଯାଇ ଏକ ରୁମ୍ ଭଡ଼ାରେ ନେଇଥିଲେ । ସେଠାରେ ମୋହନ ପୀଡ଼ିତାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ପରଦିନ ଇଣ୍ଟରଭିଉ ଦେବାକୁ ଯିବା କଥା କହିଥିଲେ । ଇଣ୍ଟରଭିଉ ପାଇଁ ଗରିବ ଭଳି ଦେଖାଯିବା ଦରକାର ବୋଲି କହି ପୀଡ଼ିତାଙ୍କୁ ସବୁ ସୁନା ଓ ଫୋନ ରୁମ୍ରେ ରଖିବା ପାଇଁ କହିଥିଲେ ମୋହନ । ମହୀଶୂର ବସ୍ ଷ୍ଟାଣ୍ଡରେ ପହଞ୍ଚିବା ପରେ ମୋହନ ପୀଡ଼ିତାଙ୍କୁ ଗର୍ଭ ନିରୋଧକ ବଟିକା ବୋଲି କହି ସାୟାନାଇଡ୍ ବଟିକା ଦେଇଥିଲେ । ଯାହା ପରେ ପୀଡ଼ିତା ଶୌଚାଳୟକୁ ଯାଇ ସାଏନାଇଡ୍ ବଟିକା ଖାଇବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପୀଡ଼ିତାଙ୍କ ମୃତ୍ୟୁ ପରେ ରୁମ୍କୁ ଯାଇ ସୁନାଗହଣା ନେବା ସହ ପୀଡ଼ିତାଙ୍କ ଘରକୁ ଫୋନ କରି ତାଙ୍କୁ ନ ଖୋଜିବା ପାଇଁ କହିଥିଲେ ଅଭିଯୁକ୍ତ ମୋହନ । ଯାହା ପାଇଁ ପୀଡ଼ିତାଙ୍କ ପରିବାର ଲୋକେ କୌଣସି ଅଭିଯୋଗ କରି ନ ଥିଲେ । ପରେ ସେ ପୀଡ଼ିତାଙ୍କ ଫୋନ ବ୍ୟବହାର କରି ଅନ୍ୟ ୩ଜଣ ମହିଳାଙ୍କୁ ଫସାଇବା ସହ ତାଙ୍କୁ ମଧ୍ୟ ସାୟାନାଇଡ୍ ଦେଇ ହତ୍ୟା କରିଥିଲେ ।
ଶୌଚାଳୟର ସଫେଇକର୍ମୀ ପୀଡ଼ିତାଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ତଦନ୍ତ କରି ପୁଲିସ ଅକ୍ଟୋବର ୨୬ରେ ଅଭିଯୁକ୍ତକୁ ଗିରଫ କରିଥିଲା । ଯାହା ପରେ ଗୋଟେ ପରେ ଗୋଟେ ତାଙ୍କ ଅପରାଧର ଖୁଲାସା ହୋଇଥିଲା । ଏ ନେଇ ଶୁଣାଣି ଚାଲି ଆସୁଥିବା ବେଳେ ଗୁରୁବାର ତାକୁ ଆଜୀବନ କାରାଦଣ୍ଡ ଦିଆଯାଇଛି ।