ନୂଆଦିଲ୍ଲୀ: କେରଳର ତ୍ରିଶୁରରେ ଥିବା ଏକ ସରକାରୀ ମାନସିକ ରୋଗୀ ଡାକ୍ତରଖାନାରୁ ୭ଜଣ ରୋଗୀ ଫେରାର ହୋଇ ଯାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ୭ ମାନସିକ ରୋଗୀ ଭିନ୍ନ ଭିନ୍ନ ମାମଲାରେ ପୁଲିସ ରିମାଣ୍ଡରେ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲା ବୋଲି ଜଣାପଡ଼ିଛି। ଘଟଣାଟି ମଙ୍ଗଳବାର ସଂନ୍ଧ୍ୟା ୭ଟା ୩୦ମିନିଟରେ ଘଟିଥିବା ବେଳେ ୭ଜଣଙ୍କ ମଧ୍ୟରୁ ଜଣଙ୍କୁ ବୁଧବାର ପୁଲିସ ଗିରଫ କରି ନେଇଥିବା ସୂଚନା ମିଳିଛି। ତେବେ ଏକା ସାଙ୍ଗରେ ୭ଜଣ କଏଦୀ ଡାକ୍ତରଖାନାରୁ ଫେରାର ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ମୁତାବକ, ୭ଜଣ ଅଭିଯୁକ୍ତ ପ୍ରଥମେ ଜଣେ ପୁରୁଷ ନର୍ସଙ୍କୁ ଏକ କୋଠରୀରେ ବନ୍ଦ କରିଦେବା ସହ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଛନ୍ତି । ୭ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ସହ ଜଣେ ହତ୍ୟା ଅଭିଯୁକ୍ତ ଥିଲା। ଏହି ଘଟଣା ପରେ ଏବେ କେରଳ ପୁଲିସର ନିଦ ହଜି ଯାଇଛି। ୭ଜଣ ଅଭିଯୁକ୍ତଙ୍କ ମେଡିକାଲ ରିପୋର୍ଟରେ ସେମାନେ ଅବସାଦଗ୍ରସ୍ତ ଥିବା କଥା ସାମ୍ନାକୁ ଆସିବା ପରେ ସେମାନଙ୍କୁ ତ୍ରିଶୁରରେ ଥିବା ଏକ ସରକାରୀ ମାନସିକ ରୋଗୀ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ସେମାନେ ସେଠାରୁ ଫେରାର ହେବାର ଯୋଜନା ତିଆରି କରିଥିଲେ। ଯିବା ସମୟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଫୋନ ଓ ସେ ପିନ୍ଧିଥିବା ସୁନାଗହଣା ନେଇ ଚାଲି ଯାଇଥିବା ଜଣା ପଡ଼ିଛି।