ମାଲାପୁରମ୍ : ବିବାହର କିଛି ସମୟ ପୂର୍ବରୁ ଲିଭି ଯାଇଛି କନ୍ୟାର ଜୀବନ ଦୀପ । ନିଜ ସ୍ୱପ୍ନର ରାଜକୁମାରକୁ ବିବାହ କରିବାର ସ୍ୱପ୍ନ ଅଧୁରା ରହି ଯାଇଛି । ଅଲଗା ଜାତିରେ ଝିଅ ଭଲପାଇ ବିବାହ କରୁଥିବାରୁ ରାଗରେ ନିଜ ଝିଅକୁ ହତ୍ୟା କରିଛି ବାପା । ଏହି ଘଟଣାଟି କେରଳର ମାଲାପୁରମ୍ ଜିଲ୍ଲା ଅନ୍ତର୍ଗତ ଏରିକୋଡ଼େ ଗ୍ରାମରେ ଘଟିଥିବା ବେଳେ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ମଞ୍ଜରୀ ମେଡ଼ିକାଲ କଲେଜରେ ଡ଼ାଏଲିସିସ୍ ସେଣ୍ଟରରେ କାମ କରୁଥିବା ମୃତ ଅଥିରା ଜଣେ ଅନୁସୂଚିତ ଜାତିର ଯବାନଙ୍କୁୁ ଭଲ ପାଇ ବସିଥିଲେ । ଘରେ ବିବାହ କଥା ଉଠିବାରୁ ଅଥିରା ନିଜ ଭଲ ପାଇବା ବିଷୟରେ ଘରେ ଜଣାଇଥିଲେ । ଅଥିରା ଥିୟା ସଂପ୍ରଦାୟର ହୋଇଥିବାରୁ ଅଥିରାଙ୍କ ବାପା ରଜନ୍ ବିବାହ ପାଇଁ ମନା କରି ଦେଇଥିଲେ । ଏ ନେଇ ପୁଲିସରେ ଅଭିଯୋଗ ହେବା ପରେ ରଜନ୍ ଅଥିରାଙ୍କ ବିବାହ ପାଇଁ ରାଜି ହୋଇଥିଲେ ।
/sambad/media/post_attachments/wp-content/uploads/2018/03/63419248-300x225.jpg)
କିନ୍ତୁ ଝିଅ ଅନ୍ୟ ଜାତିରେ ବିବାହ କଲେ ତାଙ୍କର ସମ୍ମାନ ହାନି ହେବ ବୋଲି ଭାବି ସେ ଚୁପ୍ ରହି ନଥିଲେ । ଗୁରୁବାର ଏ ନେଇ ଅଥିରା ଏବଂ ତାଙ୍କ ବାପାଙ୍କ ମଧ୍ୟରେ ଝଗଡ଼ା ହେବା ପରେ ରଜନ୍ ଏକ ଧାରୁଆ ଅସ୍ତ୍ରରେ ଅଥିରାଙ୍କୁ ହାଣି ଦେଇଥିଲେ । ତାଙ୍କ ରାଗ ଏତେ ଥିଲା ଯେ ସେ ବାରମ୍ବାର ଅଥିରାଙ୍କ ଶରୀରକୁ ଚୋଟ ଉପରେ ଚୋଟ ମାରି ଚାଲିଥିଲେ । ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁକ୍ରବାର ଅଥିରାଙ୍କ ବିବାହ ଥିଲା ବୋଲି ଜଣାପଡ଼ିଛି ।