ସଂପର୍କ ଭାଙ୍ଗିବାକୁ ମନା କରିବାରୁ ପ୍ରେମିକାର ଗଳା ଚିପି ହତ୍ୟା କଲା ପ୍ରେମିକ, ଶବକୁ ପୋତି ଲଗାଇଦେଲା ଗଛ
ନୂଆଦିଲ୍ଲୀ : କେରଳର ତିରୁବନନ୍ତପୁରମରୁ ଏକ ଏଭଳି ମାମଲା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି । ୩୦ବର୍ଷୀୟା ରେଖାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରି ପୋତି ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଅଭିଯୁକ୍ତ ରେଖାଙ୍କ ଶବ ଉପରେ ଲୁଣ ଦେଇ ପୋତିବା ସହ ସନ୍ଦେହ ନ ହେବା ପାଇଁ ଉପରେ ଗଛ ଲଗାଇ ଦେଇଥିଲେ ଅଭିଯୁକ୍ତ । ଏଭଳି ଅପରାଧ ପୀଡ଼ିତାଙ୍କ ପ୍ରେମିକ ସହ ଅନ୍ୟ ଦୁଇଜଣ କରିଥିବା ବେଳେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ନେଇଛି ପୁଲିସ । ଅନ୍ୟ ଦୁଇ ଜଣ ଏବେ ବି ଫେରାର ଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସେନାର ଯବାନ ଥିବା ଅଖିଲ ଦିଲ୍ଲୀରେ ରହି କାମ କରୁଥିଲେ । ଏ ମଧ୍ୟରେ ତାଙ୍କର ପୀଡ଼ିତା ରେଖାଙ୍କ ସହ ଥିବା ପ୍ରେମ ସଂପର୍କ ବିଗିଡ଼ିବାରେ ଲାଗିଥିଲା । ଅଖିଲ ଅନ୍ୟ ଯୁବତୀଙ୍କ ସହ ନିର୍ବନ୍ଧ କରି ସାରିଥିବା ବେଳେ ରେଖାଙ୍କୁ ନିଜଠାରୁ ଦୂରେଇବାକୁ ଚାହୁଁଥିଲେ । କିନ୍ତୁ ରେଖା ସଂପର୍କକୁ ଭାଙ୍ଗିବାକୁ ଚାହୁଁନଥିବାରୁ ବିରକ୍ତ ହୋଇ ଯାଇଥିଲେ ଅଖିଲ । ଜୁନ୍ ୨୪ରେ ରେଖା ନିଜ ଘରକୁ ଫେରୁଥିବା ବେଳେ ଅଖିଲ ଏବଂ ତାଙ୍କର ଦୁଇ ବନ୍ଧୁ ରେଖାଙ୍କୁ ଜବରଦସ୍ତ କାର୍ରେ ବସାଇ ଦେଇଥିଲେ । କାର୍ ଭିତରେ ଅଖିଲ ସଂପର୍କ ଭାଙ୍ଗିବାକୁ ଶେଷ ଥର ପାଇଁ କହିଥିଲେ ମଧ୍ୟ ରାଜି ହୋଇ ନଥିଲେ ରେଖା । ଯାହା ପରେ ୩ଜଣ କାର୍ ଭିତରେ ରେଖାଙ୍କ ଗଳା ଚିପି ହତ୍ୟା କରିବା ସହ ଅଖିଲଙ୍କ ଘର ପଛପଟେ ପୋତି ଦେଇଥିଲେ । ରେଖାଙ୍କ ଘର ଲୋକେ ନିଖୋଜର ରିପୋର୍ଟ ଲେଖାଇବାରୁ ତଦନ୍ତ କରି ପୁଲିସ ଏବେ ମାମଲାର ସମାଧାନ କରି ପାରିଛି ।