ନୂଆଦିଲ୍ଲୀ: କେରଳର କାସରଗୋଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସାଙ୍ଗ ମିଶି ପିଲାଦିନର ଝଗଡ଼ାର ୫୦ବର୍ଷ ପରେ ପ୍ରତିଶୋଧ ନେଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, କାସରଗୋଡ଼ରେ ବସବାସ କରୁଥିବା ମାଲୋଥୁ ବାଲକୃଷ୍ଣନ ଓ ମ୍ୟାଥୁ ନାମକ ଦୁଇଜଣସାଙ୍ଗ ମିଶି ବାବୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ।
ଏହି ଆକ୍ରମଣ ନେଇ ବାବୁ ପୁଲିସରେ ଅଭିଯୋଗ କରିଥିଲେ। ଯାଞ୍ଚ ସମୟରେ ଜଣାପଡ଼ିଛି କି ବାଲକୃଷ୍ଣନ ଓ ମ୍ୟାଥୁ ୫୦ବର୍ଷ ପୁରୁଣା ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଯୋଜନା କରି ଭେଟ କରିବାପାଇଁ ବାବୁ (୬୨ବର୍ଷ)ଙ୍କୁ ଡାକିଥିଲେ।
ବାବୁ ଦୁଇଜଣସାଙ୍ଗ କହିଥିବା ସ୍ଥାନରେ ଯାଇ ପହଞ୍ଚିବା ପରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବାଲକୃଷ୍ଣନ ଓ ମ୍ୟାଥୁ । ଏହି ଆକ୍ରମଣରେ ବାବୁଙ୍କ ଗାଲରେ ଆଘାତ ଲାଗିବା ସହିତ ତାଙ୍କ ଦୁଇଟିଦାନ୍ତ ଭାଙ୍ଗି ଯାଇଥିଲା। ସ୍ଥାନୀୟଲୋକେ ତୁରନ୍ତ ବାବୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ବାଲକୃଷ୍ଣନ, ମ୍ୟାଥୁ ଓ ବାବୁ ତିନିଜଣ ସାଙ୍ଗ ହୋଇ ପାଠପଢ଼ୁଥିଲେ। ୪ର୍ଥ ଶ୍ରେଣୀରେ ବାବୁଙ୍କ ସହିତ ବାଲକୃଷ୍ଣନ ଓ ମ୍ୟାଥୁଙ୍କ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ାରେ ବାଲକୃଷ୍ଣନ ଓ ମ୍ୟାଥୁଙ୍କୁ ବାବୁ ନିସ୍ତୁକମାଡ଼ ମାରିଥିଲେ।
କିଛିଦିନ ତଳେ ପୁଣି ଏହି ଘଟଣାକୁ ନେଇ ତିନିଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ବାଲକୃଷ୍ଣନ ଓ ମ୍ୟାଥୁ ୫୦ବର୍ଷ ପୁରୁଣା ଝଗଡ଼ାର ପ୍ରତିଶୋଧ ନେବା ପାଇଁ ବାବୁଙ୍କ ଉପରେ ଆକ୍ରମଣ କରି ଆହତ କରିଥିଲେ।