କେରଳ ନନ୍‌ ଦୁଷ୍କର୍ମ ମାମଲା; ଆଗାମୀ ୧୯ ତାରିଖରେ ପଚରାଉଚରା ପାଇଁ ବିଶଫ୍‌ ଫ୍ରାଙ୍କୋ ମୁଲାକାଲ୍‌ଙ୍କୁ ଡାକିଲା ପୁଲିସ୍‌

କୋଟାୟମ୍‌: କେରଳର ଜୈନେକା ନନ୍‌ଙ୍କୁ ବର୍ଷାଧିକ କାଳ ଧରି ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗ ମୁଣ୍ଡାଇଥିବା ଅଭିଯୁକ୍ତ ବିଶଫ୍‌ ଫ୍ରାଙ୍କୋ ମୁଲାକାଲ୍‌ଙ୍କୁ ପଚରାଉଚରା ପାଇଁ ପୁଲିସ୍‌ ସେପ୍ଟେମ୍ବର ୧୯ ତାରିଖରେ ଡକାଇଛି। ପୀଡ଼ିତା ନନ୍‌ଙ୍କ ଚିଠି ଓ ଫଟୋକୁ ପ୍ରକାଶ କରିବା ଅଭିଯୋଗରେ ‘ମିସିଓନାରିଜ୍‌ ଅଫ୍‌ ଜିଜସ୍‌’ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। ଭଉଣୀର ଫଟୋ ଓ ଚିଠି ପ୍ରକାଶ ପାଇବା ପରେ ପୀଡ଼ିତା ନନ୍‌ଙ୍କ ଭାଇ କହନ୍ତି, ‘ ଗତକାଲି ‘ମିସିଓନାରିଜ୍‌ ଅଫ୍‌ ଜିଜସ୍‌’ ମୋ ଭଉଣୀର ଚିଠି ସହ ଏକ ଫଟୋ ବି ପ୍ରକାଶ କରିଛି। ମୁଁ ଏହାକୁ ଗଭୀର ଭାବେ ନିନ୍ଦା କରୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ। ଯେଉଁମାନେ ଏପରି ଦୁସାହସ କରିଛନ୍ତି ସେମାନେ କୋର୍ଟଙ୍କ ନିର୍ଦେଶ ଜାଣିନାହାନ୍ତି। ଏହା ଖୁବ୍‌ ଦୁଃଖଦ ବିଷୟ। ମୋ ଭଉଣୀକୁ ସେମାନେ ଏପରି ଭାବେ ହଇରାଣ କରିବାକୁ ଚାହାନ୍ତି!’

ଉଲ୍ଲେଖଯୋଗ୍ୟ, ନିକଟରେ ଜନୈକ ବିଶପ୍‌ଙ୍କ ଦ୍ୱାରା ବର୍ଷାଧିକ କାଳ ଧରି ଦୁଷ୍କର୍ମ ଓ ଅପ୍ରାକୃତିକ ଯୌନକ୍ରିୟାର ଶିକାର ହୋଇଥିବା ଜନୈକା ନନ୍‌ ନ୍ୟାୟ ପାଇବା ପାଇଁ ଶେଷରେ ଭଟିକାନ୍‌ ସିଟିର ପୋପ୍‌ଙ୍କ ନିକଟକୁ ଏକ ପତ୍ର ଲେଖି ନିଜର କରୁଣ କାହାଣୀ ବର୍ଣ୍ଣନା କରିବା ସହ ନ୍ୟାୟ ମାଗିଥିଲେ।

ପୀଡ଼ିତା ନନ୍‌ ଜଣକ ଅଭିଯୋଗ କରି କହିଥିଲେ ଯେ ଜଳନ୍ଧରର ବିଶପ୍‌ ଫ୍ରାନ୍‌କୋ ମୁଲାକ୍‌କାଲ ତାଙ୍କୁ କେରଳର କୋଟାୟାମ୍‌ ଜିଲ୍ଲା ଅନ୍ତର୍ଗତ କୁରାଭିଲାନ୍‌ଗାଡ଼୍‍ରେ ଥିବା ସେଣ୍ଟ ଫ୍ରାନ୍‌ସିସ୍‌ ମିଶନ ହୋମ୍‌ର ଏକ ଅତିଥି ଗୃହ ମଧ୍ୟରେ ବନ୍ଦୀ କରି ରଖିବା ସହ ୨୦୧୪ରୁ ୨୦୧୬ ମଧ୍ୟରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ବଳପୂର୍ବକ ଭାବେ ତାଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା ଚଳାଇଥିଲେ। ଗତ ସେପ୍ଟେମ୍ବର ୮ ତାରିଖରେ ପୋପ୍‌ଙ୍କ ନିକଟକୁ ଲେଖିଥିବା ପତ୍ରରେ ପୀଡ଼ିତା ନନ୍‌ ଜଣକ ଏପରି ଉଲ୍ଲେଖ କରିଥିଲେ।

ସମ୍ବନ୍ଧିତ ଖବର