ନାବାଳିକା ସହ ଦୁଷ୍କର୍ମ କରିଥିବା ପାଦ୍ରୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ତଲସେରୀ: ଦୁଷ୍କର୍ମ କରି ଜଣେ ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିଥିବା ମାମଲାରେ ପୋକ୍‌ସୋ ଅଦାଲତ କେରଳର ନୀଡୁନୋକିସ୍ଥିତ ସେଣ୍ଟ୍‌ ସେବାଷ୍ଟିଆନ୍‌ ଗୀର୍ଜାର ପୂର୍ବତନ ଭିକାର୍‌ ଫାଦର୍‌ ରବିନ୍‌ ବଡ଼କ୍କାଞ୍ଚେରିଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।
ବିଚାର ଧାରାରେ ଦୁଷ୍କର୍ମ ପୀଡ଼ିତା ଓ ତାଙ୍କର ପିତାମାତାଙ୍କ ସମେତ ମାମଲାର ମୁଖ୍ୟ ସାକ୍ଷୀ ସମୟ କ୍ରମେ ଏ ମାମଲାର ବିପକ୍ଷରେ ଯାଇଥିଲେ, କିନ୍ତୁ ଝିଅଟିର ଅସଲି ବାର୍ଥ ସାର୍ଟିଫିକେଟ୍‌ ଦାଖଲ କରାଯିବା ପରେ ସେ ନାବାଳିକା ଥିବା ସମୟରେ ପାଦ୍ରୀଙ୍କ ଦ୍ୱାରା ଦୁଷ୍କର୍ମର ସରବ୍ୟ ହୋଇଥିବା କଥା ପ୍ରମାଣିତ ହୋଇଥିଲା।

ଅଦାଲତର ଅତିରିକ୍ତ ସେସନ ଜଜ୍‌ ପିଏନ୍‌ ବିନୋଦ ତିନିଟି ଦଫାରେ କ୍ରମାଗତ ୨୦ ବର୍ଷ କାରଦଣ୍ଡାଦେଶ ଦେଇଛନ୍ତି। ପୋକ୍‌ସୋ ଆଇନ୍‌ରେ କୌଣସି ପାଦ୍ରୀ ଭାରତରେ ଜେଲ୍‌ଦଣ୍ଡ ପାଇବା ଇଏ ବୋଧହୁଏ ପ୍ରଥମ ଘଟନା। ଏହି ମାମଲାର ଅନ୍ୟ ଛଅ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି।

ଗୀର୍ଜା ଦ୍ୱାରା ପରିଚାଳିତ କୁତୁପରାମ୍ବା ଠାରେ ଥିବା କ୍ରିଷ୍ଟୁ ରାଜ ହସ୍‌ପିଟାଲ୍‌ରେ ଫେବ୍ରୁଆରି ୭, ୨୦୧୭ରେ ଜଣେ ନାବାଳିକା ପିଲା ଜନ୍ମ କରିଥିବା କଥା କେହି ଅଜ୍ଞାତ ବ୍ୟକ୍ତି ଚାଇଲ୍‌ଡ୍‌ ଲାଇନ୍‌କୁ ଜଣାଇବା ପରେ ଏହି ଘଟନାର ମାମଲା ରୁଜୁ କରାଯାଇଥିଲା। ଏଥିରେ ଫାଦର୍‌ ରବିନ୍‌ ହିଁ ଅଭିଯୁକ୍ତ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର