କେରଳ: ନିର୍ଯାତନାର ଶିକାର ହୋଇ ମହିଳାମାନଙ୍କ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି। କେଉଁଟି ନା କେଉଁଟି ନିର୍ଯାତିତ ହୋଇ ନାରୀଟିଏ ଜୀବନ ହରାଉଛି। ନିକଟରେ ଜଣେ କେରଳୀ ମହିଳା ଯୌତୁକ ନିର୍ଯାତନାର ଶିକାର ହୋଇ ନିଜ ହାତରେ ନିଜ ଜୀବନ ନେଇଥିବା ଅଭିଯୋଗ ହୋଇଛି।
୩୨ ବର୍ଷୀୟା ମହିଳା ଜଣକ ଜୀବନ ହାରିବା ପରେ ତାଙ୍କ ଶଶୁରଘର ଲୋକଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରାଯାଇଛି। ପୀଡ଼ିତା ଭିମ୍ଚିକା ମାନିୟାନ୍ ହେଉଛନ୍ତି କେରଳର କୋଲ୍ଲମ ଜିଲ୍ଲାର ମୂଳ ନିବାସୀ। ସେ ଜୁଲାଇ ୮ ତାରିଖରେ ତାଙ୍କ ଶାରଜାହ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ତାଙ୍କର ଏକ ୧ ବର୍ଷର ଝିଅର ମଧ୍ୟ ଦୁଃଖଦ ପରିସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଛି।
ଫରେନସିକ୍ ରିପୋର୍ଟରେ ନିଶ୍ଚିତ କରାଯାଇଛି ଯେ ଶିଶୁଟିକୁ ସମ୍ଭବତଃ ଏକ ତକିଆ ଚାପ ଦେଇ ହତ୍ୟା କରାଯାଇଛି। ଅନୁମାନ କରାଯାଉଛି ଯେ ମାଆ ଏଭଳି ଏକ ଚରମ ପଦକ୍ଷେପ ନେବା ପୂର୍ବରୁ ଶିଶୁଟିକୁ ହତ୍ୟା କରାଯାଇଥାଇପାରେ।
ଖଲିଜ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମାଲାୟଲମ ଭାଷାରେ ଏକ ହାତଲେଖା ନୋଟ୍ ମିଳିଛି। ଯାହାକୁ ମୃତ ମହିଳାଙ୍କ ଦ୍ୱାରା ଲେଖାଯାଇଥିବା ବିଶ୍ୱାସ କରାଯାଉଛି। ଘରେ ମାନଶିକ ଯନ୍ତ୍ରଣା ଏବଂ ନିର୍ଯାତନାର ଶିକାର ହୋଇଥିବା ନୋଟ୍ରୁ ଜଣାପଡ଼ିଛି।
କେରଳ ପୁଲିସକୁ ଦେଇଥିବା ଅଭିଯୋଗରେ, ପୀଡିତାଙ୍କ ମାଆ ଶ୍ୟାମଳା ଅଭିଯୋଗ କରିଛନ୍ତି ଯେ ମହିଳା ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକଙ୍କଠାରୁ ନିରନ୍ତର ଯୌତୁକ ନିର୍ଯାତନାର ସମ୍ମୁଖୀନ ହେଉଥିଲେ।
ରିପୋର୍ଟ ଅନୁଯାୟୀ, ସେ ୨୦୨୦ ମସିହାରେ ବିବାହ କରିଥିଲେ ଏବଂ ଶାରଜାହକୁ ଚାଲିଯାଇଥିଲେ। ପୀଡିତାଙ୍କ ମାଆ ଦାବି କରିଛନ୍ତି ଯେ ତାଙ୍କ ବିବାହ ପରେ ମାନିୟାନ୍ ନିୟମିତ ଭାବରେ ଯୌତୁକ ପାଇଁ ନିର୍ଯାତିତ ହେଉଥିଲେ। ତାଙ୍କ ରୂପ ପାଇଁ ଅପମାନିତ ହେଉଥିଲେ ଏବଂ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକ ତାଙ୍କୁ ଆଡୁସାଡୁ କହୁଥିଲେ। ତାଙ୍କ ଶଶୁରଘର ଲୋକ ସମସ୍ତେ କଳା ଥିବା ବେଳେ ସେ ଗୋରା ଥିବାରୁ ଶଶୁରଘର ଲୋକ ସହି ପାରୁନଥଲେ। ଏପରିକି ସେ କମ୍ ଆକର୍ଷଣୀୟ ଦିଶିବା ପରି ତାଙ୍କ କେଶ ବି କାଟି ଦେଇଥିଲେ।