ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ ଘଟଣା : ୨୪ ଘଣ୍ଟା ପରେ ବି ଟେର ମିଳୁନି, ସିସିଟିଭି ଆଧାରରେ ହତ୍ୟାକାରୀକୁ ଖୋଜୁଛି ପୁଲିସ୍

ଭୁବନେଶ୍ବର:  ୨୪ ଘଣ୍ଟା ପରେ ବି ଖୋର୍ଦ୍ଧାରେ ଡାକ୍ତରଙ୍କ ଉପରେ ଗୁଳିମାଡ ଘଟଣାର ଟେର୍ ପାଇପାରିନି ପୁଲିସ । ତଦନ୍ତ ପାଇଁ ୪ଟି ଟିମ୍ ଗଠନ ହୋଇଛି । ୨ଟି ଟିମ୍ ଡାକ୍ତରଙ୍କ ସହ ପୂର୍ବ ଶତ୍ରୁତା ଏବଂ ବିବାଦକୁ ନେଇ ଅନୁଧ୍ୟାନ କରୁଥିବା ବେଳେ ଆଉ ଦୁଇଟି ଟିମ୍ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି । ଏସବୁ ଭିତରେ ଗୁଳିମାଡ ପଛରେ ଜମି କାରବାର କିମ୍ବା ଚିକିତ୍ସାଜନିତ ତ୍ରୁଟି ଯୋଗୁଁ ଶତ୍ରୁତା ଖବର, ପୁଲିସର ତଦନ୍ତ ବେଳେ ସାମନାକୁ ଆସିଛି । ସେପଟେ ଗୁଳିମାଡରେ ଔଷଧ ଦୋକାନୀ ପ୍ରାଣ ହରାଇଥିବା ବେଳେ ଡାକ୍ତର ମାନସ ଦାସ ଗୁରୁତର ଅଛନ୍ତି ।

ଗୁଳିକାଣ୍ଡର ୨୪ ଘଣ୍ଟା ପରେ ପୁଲିସ ଆଗରେ ଏମିତି ଅନେକ ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି । ତଦନ୍ତ ଆଗେଇ ଚାଲିଛି, ସାଇଟିଂଫିକ ଟିମ୍ ସହ ଘଟଣାସ୍ଥଳରେ ଛାନଭିନ କରାଯାଇଛି, ହେଲେ ଗୁଳି ମାରିଥିବା ସେହି ଦୁର୍ବୃତ୍ତ ଏବେ ବି ପୁଲିସ ପାଇଁ ଅପହଞ୍ଚ। ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖିଛି ପୁଲିସ ।

ପ୍ରାଥମିକ ତଦନ୍ତରେ ପୋଲିସ ଦୁଇଟି ଦିଗକୁ ନେଇ ସନ୍ଦେହ କରୁଛି । କିଛି ଦିନ ପୂର୍ବରୁ ରାଜଧାନୀରେ ଏକ ବଡ ଜମି କିଣିଥିଲେ ଡାକ୍ତର ମାନସ ଦାସ । ତେବେ ଏହି ଜମିକୁ ଅନ୍ୟ ଜଣେ କିଣିବାକୁ ଉଦ୍ୟମ କରୁଥିବା ବେଳେ ଅଧିକ ଟଙ୍କା ଦେଇ ଜମି କିଣିନେଇଥିଲେ ଡାକ୍ତର । ତେଣୁ ସନ୍ଦେହ କରାଯାଉଛି ଡାକ୍ତରଙ୍କୁ ଗୁଳିମାଡ ପଛରେ ରହିଥାଇପାରେ ଏହି ଜମି ବିବାଦ ।  ସେହିପରି ଚିକିତ୍ସାକୁ ନେଇ ଡାକ୍ତରଙ୍କ ସହ କାହାର ପୂର୍ବ ଶତ୍ରୁତା ରହିଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି ।

ରବିବାର ସନ୍ଧ୍ୟାରେ ମଙ୍କିକ୍ୟାପ୍ ପିନ୍ଧିଥିବା ଜଣେ ବ୍ୟକ୍ତି କ୍ଲିନିକରେ ଡାକ୍ତରଙ୍କୁ ଦେଖାକରିବାକୁ ଆସିଥିଲା । ତେବେ ଚାମ୍ବର ଭିତରେ ପଶୁ ପଶୁ ହଠାତ୍ ଡାକ୍ତରଙ୍କ ଉପରକୁ ଦୁଇରାଉଣ୍ଡ ଗୁଳିମାଡ କରିଥିଲା । ଗୁଳି ଶବ୍ଦ ଶୁଣି ଦୌଡି ଆସିଥିଲେ ପାଖରେ ଔଷଧ ଦୋକାନ କରିଥିବା କୃଷ୍ଣଚନ୍ଦ୍ର ସାହୁ । ତେବେ ହତ୍ୟାକାରୀ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା। ଗୁଳିମାଡରେ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଥିବା ବେଳେ ଔଷଧ ଦୋକାନୀ ପ୍ରାଣ ହରାଇଛନ୍ତି । ଏବେ ସମସ୍ତଙ୍କ ନଜର ରହିଛି ଆହତ ଡାକ୍ତରଙ୍କ ପ୍ରତିକ୍ରିୟା ଉପରେ ।

ସମ୍ବନ୍ଧିତ ଖବର