ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅପହର୍ତାକୁ ଗିରଫ କରିଛି। ସେ ହେଲା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅଞ୍ଚଳର ରିଙ୍କୁ ଓରଫ ରବୀନ୍ଦ୍ର ନାୟକ(୧୯)। ସେ ଏଠାରେ ସାଲିଆସାହି ବାଜପେୟୀନଗରରେ ରହେ। ବାଜପେୟୀନଗରର ଜଣେ ନାବାଳିକାଙ୍କୁ ରବୀନ୍ଦ୍ର ଏକତରଫା ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରିବା ସହ ହଇରାଣ ହରକତ କରୁଥିଲା। ଗତ ଅକ୍ଟୋବର ୭ ତାରିଖରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ରବୀନ୍ଦ୍ର ନାବାଳିକାଙ୍କୁ ଅପହରଣ କରିନେଇଥିଲା। ନାବଳିକାର ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ଗତକାଲି ରାତିରେ ପୁଲିସ ଟାଙ୍ଗିରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ରବୀନ୍ଦ୍ରକୁ ଗିରଫ କରିଥିଲା। ଆଜି ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇଥିବାବେଳେ ରବୀନ୍ଦ୍ରକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର