ନାବାଳିକାଙ୍କୁ ଅପହରଣ ଅଭିଯୋଗ; ଯୁବକ ଗିରଫ

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳର ପ୍ରଶାନ୍ତ ସିଂ (୧୯)। ଏଠାରେ ସେ ମଞ୍ଚେଶ୍ୱର ସାମେଇଗାଡ଼ିଆ ଅଞ୍ଚଳରେ ରହେ।

ପୁଲିସ ସୂଚନା ମୁତାବକ, ଗତ କିଛିମାସ ହେବ ପ୍ରଶାନ୍ତ ସେହି ଅଞ୍ଚଳର ଜେଣ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ନାବାଳିକାଙ୍କୁ ପିଛା କରିବା ସହ ହଇରାଣ ହରକତ କରୁଥିଲା। ଏମିତିକି ନାବାଳିକାଙ୍କୁ ବିବାହ କରିବା ପାଇଁ ବାରମ୍ବାର ରାସ୍ତାରେ ଅଟକାଇ ଅନୁରୋଧ କରୁଥିଲା। ତେବେ ନାବାଳିକା ଜଣଙ୍କ ପ୍ରଶାନ୍ତ କଥାରେ ରାଜି ହୋଇନଥିଲେ। ଫଳରେ ପ୍ରଶାନ୍ତ ପ୍ରତିଶୋଧ ପରାୟଣ ହୋଇ ସୁଯୋଗକୁ ଅପେକ୍ଷା କରିଥିଲା। ଗତ ସେପ୍ଟେମ୍ବର ୯ ତାରିଖରେ ନାବାଳିକାଙ୍କ ଘରେ କେହି ନଥିବା ସୁଯୋଗ ପାଇ ପ୍ରଶାନ୍ତ ନାବାଳିକାଙ୍କୁ ଅପହରଣ କରିନେଇଥିଲା।

ପରିବାର ଲୋକେ ଝିଅକୁ ଘରେ ନ ପାଇ ଖୋଜାଖୋଜି କରିଥିଲେ ଏବଂ ଏ ନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଗତକାଲି ରାତିରେ ପୁଲିସ ବାରିପଦା ଖୁଣ୍ଟା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ପ୍ରଶାନ୍ତକୁ ଗିରଫ କରିଥିଲା। ଆଜି ପୁଲିସ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ଜିମା ଦେଇଥିବା ବେଳେ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର